ଆନ୍ଧ୍ର, ତେଲେଙ୍ଗାନାରେ ବନ୍ୟା ବିଭୀଷିକା, ଗଲାଣି ୨୭ ଜୀବନ

ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ ।

Andhra Pradesh flood

ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ । ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ଛାତିକୁ ଥରାଇ ଦେଲା ଭଳି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ୧୫ ଓ ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁକୁ ମିଶାଇ ୨୭ ଜଣଙ୍କ ବନ୍ୟା ବିତ୍ପାତରେ ପ୍ରାଣ ଗଲାଣି । ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥରେ ଚଳାଚଳ।

ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି । କେଉଁଠି ଛୋଟ ଛୋଟ ବ୍ରିଜ୍ ବି କ୍ଷତିଗସ୍ତ ହୋଇଛି । ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଏବେ ଯାଏଁ ୧୦୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଛି । ବିଜୟୱାଡ଼ା ନିକଟ ରାୟନପାଡ଼ୁ ଷ୍ଟେସନ୍ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସମ୍ପୂର୍ଣ୍ଣ ଷ୍ଟେସନ୍ ପାଣି ଘେରରେ ରହିଛି । ଟ୍ରାକ୍, ପ୍ଲାଟଫର୍ମ ବି ପାଣିରେ ବୁଡ଼ି ରହିଛି । ଏକାଧିକ ଟ୍ରେନ୍ ଷ୍ଟେସନରେ ଅଟକି ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା କରିବା ନେଇ ଆଶ୍ୱାସନା ଦେବା ସହ ରେସ୍କ୍ୟୁ ସ୍ଥିତି ପରଖି ବୁଝିଛନ୍ତି।

ଏହି ଦୁଇ ରାଜ୍ୟରେ ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍ । ଆକାଶ ମାର୍ଗରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲାଗିଛି ବାୟୁ ସେନା। ଲୋକଙ୍କ ପାଖରେ ଖାଦ୍ୟ, ପାନୀୟ, ଔଷଧ ପଠାଯାଉଛି । NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି । ବିଶେଷ ଭାବେ ବିଜୟୱାଡ଼ା, ଏନଟିଆର,ଗୁଣ୍ଟୁର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି, ଲକ୍ଷାଧିକ ଲୋକେ ପାଣି ଘେରରେ ରହିଛନ୍ତି । ପାଣି ଭିତରୁ ଲୋକଙ୍କୁ ବାହାର କରିବା ବେଶ୍ କାଠିକର ହେଉଛି । କ୍ରିଷ୍ଣା ଓ ବୁଡ଼ାମେରୁ ନଦୀରେ ଜଳସ୍ତରରେ ବଢ଼ିବା ପରେ ବନ୍ୟା ସ୍ଥିତି ଉପୁଜିଛି ।

ପୂର୍ବ ବର୍ଷ ଗୁଡ଼ିକରେ ଏହି ଦୁଇ ନଦୀରେ ବନ୍ୟା ଆସୁଥିଲା। ତେବେ ଏବର୍ଷ ମୌସୁମୀ ସିଜନ୍ ପରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ି ଜନବସତିରେ ମାଡ଼ିଛି । ଗ୍ରାଉଣ୍ଡକୁ ଓହ୍ଲାଇ ବନ୍ୟାରେ ରେସ୍କ୍ୟୁ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ।ବୋଟରେ ବସି ବିଜୟୱାଡ଼ାରେ ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି । ଗତକାଲିଠୁ ସେ ବିଜୟୱାଡ଼ାରେ ରହିଛନ୍ତି । ଗତକାଲି ରାତିରେ ବି ବନ୍ୟା ପ୍ରଭାବିତଙ୍କ ପାଖକୁ ଯାଇ ସେମାନଙ୍କୁ ଭେଟିଥିଲେ ନାଇଡ଼ୁ ।