ପୁଣି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା । ଏଥର ଟୁଇଟକୁ ନେଇ ନୁହେଁ ବରଂ ଚାକିରିକୁ ନେଇ । ରାଜଧାନୀ ଦିଲ୍ଲୀର ଜଣେ ଦିବ୍ୟାଙ୍ଗଙ୍କୁ ଚାକିରି ଅଫର ଦେଇଛନ୍ତି ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଯାହାକୁ ନେଇ ଏବେ ସବୁଠି ତାଙ୍କ ଚର୍ଚ୍ଚା । ତେବେ ଏହା କୌଣସି ନୂଆ କଥା ନୁହଁ କାରଣ ପୂର୍ବରୁ ବି କିଛି ଭିନ୍ନ କରୁଥିବା ଲୋକଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ଶିଳ୍ପପତି ।
ଆନନ୍ଦ ମହିନ୍ଦ୍ରା ଜଣେ ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କରିଛନ୍ତି । ରାଜଧାନୀ ଦିଲ୍ଲୀର ଭିଡ ଭିତରେ ଦିବ୍ୟାଙ୍ଗ ଜଣକ ଖୁସିରେ ଗାଡି ଚଲାଉଥିବା ଦେଖିବାକୁ ମିଳୁଛି । ନିଜ ପରିବାର ଚଳାଇବା ପାଇଁ ସେ ଏହି ସ୍ୱତନ୍ତ୍ର ଗାଡି ତିଆରି କରିଛନ୍ତି । ଆଉ ଏହାର ଟେକନିକ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ଦିବ୍ୟାଙ୍ଗଙ୍କର ହାତ ଗୋଡ ନଥିଲେ ବି ସେ ଏହାକୁ ସହଜରେ ଚଲାଇ ପାରୁଛନ୍ତି । ଦୀର୍ଘ ୫ ବର୍ଷ ହେବ ଦିଲ୍ଲୀର ରାଜରାସ୍ତାରେ ତାଙ୍କ ଗାଡି ଗଡୁଥିବା କୁହନ୍ତି ଦିବ୍ୟାଙ୍ଗ ଜଣକ ।
ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି । ହାତ ଓ ଗୋଡ ନଥିଲେ ବି ବ୍ୟକ୍ତି ଜଣକ ଗାଡିଟିକୁ ଭିଡ ଭିତରେ ଚଳାଉଛନ୍ତି । ମନରେ ତ୍ରିଳେମାତ୍ର ଭୟ କି ଦୁଃଖ ନାହିଁ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ଓ ଖୁସି ହୋଇ ଯାଇଛନ୍ତି ଆନନ୍ଦ ମହିନ୍ଦ୍ରା । ଦିବ୍ୟାଙ୍ଗଙ୍କ ଭିଡିଓଟିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ ଏହି ବ୍ୟକ୍ତିଙ୍କ ଜୀବନର ସଂଘର୍ଷ ଦେଖି ତାଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି ।
ଗତ ୫ ବର୍ଷ ଧରି ଦିବ୍ୟାଙ୍ଗ ଜଣକ ଏହିପରି ସ୍ୱତନ୍ତ୍ର ରିକ୍ସାକୁ ଚଲାଇ ଆସୁଛନ୍ତି । କାହା ଉପରେ ବୋଝ ନ ହୋଇ ନିଜ ପାଇଁ ନିଜେ ଏ ରିକ୍ସା ତିଆରି କରି ତାକୁ ଚଲାଉଛନ୍ତି । ଆଉ ଏହି ରିକ୍ସା ଚଲାଇ ପତ୍ନୀ, ଦୁଇ ପିଲା ଏବଂ ବୃଦ୍ଧପିତାଙ୍କ ପେଟକୁ ଦୁଇମୁଠା ଖାଇବାକୁ ଦେଇ ପାରୁଛନ୍ତି। ତେବେ ଆନନ୍ଦ ମହିନ୍ଦ୍ରା ନିଜେ ଭିଡିଓଟିକୁ ସେୟାର କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଆଉ ୩୧ ହଜାର ଲାଇକ ଓ ହଜାରେରୁ ଅଧିକ ସେୟାର କରିଛନ୍ତି ।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ କିଏ ନଜାଣେ । ପ୍ରତିଦିନ ସେ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରନ୍ତି । ଆଉ ସେହି ଭିଡିଓ ଗୁଡିକ ମଜାଳିଆ କିମ୍ବା ପ୍ରେରଣାଦାୟୀ ହୋଇଥାଏ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସାରିଛନ୍ତି ଆନନ୍ଦ ମହିନ୍ଦ୍ରା ।
କିଛି ଦିନ ପୂର୍ବରୁ ଜୁଗାଡରେ କାର୍ ଚଳାଉଥିବା ବ୍ୟକ୍ତିଙ୍କୁ ବୋଲେରୋ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆନନ୍ଦ ମହିନ୍ଦ୍ରାଙ୍କର ଟ୍ୱିଟରରେ ୮୬ ଲକ୍ଷ ଫଲୋଅର୍ସ ଅଛନ୍ତି । ସେହିପରି ପୂର୍ବରୁ ଟିମ ଇଣ୍ଡିଆର ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଥିଲେ ।