• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦେଶରେ ଦିନକୁ ଦିନ ଘାତକ ହେଉଛି ପ୍ରଦୂଷଣ । ବର୍ଷକୁ ଯାଉଛି ୨୦ ଲକ୍ଷରୁ ଅଧିକ ଜୀବନ । ସାରା ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।  

ଆଜି ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ବିଶ୍ୱରେ ଦିନକୁ ଦିନ ଘାତକ ହେଉଛି ପ୍ରଦୂଷଣ । ଦେଶରେ ବି ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି । ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ  ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକଙ୍କ  ଜୀବନ ଯାଉଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତି । ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ (CPCB) ଅନୁସାରେ, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(AQI) ‘ସିଭିୟର’ କ୍ୟାଟେଗୋରୀରେ ପହଞ୍ଚିଛି ।

୧୯୮୪ ମସିହା ଡିସେମ୍ବର ୨ ଭୋପାଳରେ ହୋଇଥିବା ଭୟାନକ ଗ୍ୟାସ ଦୁର୍ଘଟଣାରେ ପ୍ରାୟ ୩୭ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । କାରଖାନା, ଗାଡିଚଳାଚଳ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟାପକ ଜୀବାଶ୍ମ ଇନ୍ଧନ ବ୍ୟବହାର ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି ।

ବିଷ ବଳୟ ଭିତରେ ଅନୁଗୁଳ...

ସେପଟେ ବିଷ ବଳୟ ଭିତରେ ଅନୁଗୁଳ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ଅନୁଗୁଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ । ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ଅତି ଉତ୍କଟ ହେଉଥିବାବେଳେ ଲୋକେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

କେବଳ ଯେ ବାୟୁ ପ୍ରଦୂଷିତ ତାହା ନୁହେଁ ଅନୁଗୁଳରେ ଜଳ, ମୃତ୍ତିକା ସବୁ ପ୍ରଦୂଷିତ ହୋଇ ଥିବାବେଳେ ଏବେ ପ୍ରଦୂଷିତ ପରିବେଶରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ଶିଳ୍ପାନୁଷ୍ଠାନ ସହ ଦୈନିକ ହଜାର ହଜାର ଯାନବାହନ ଚଳାଚଳ ଓ ରାଜପଥ ନିର୍ମାଣ କାମ ଯୋଗୁ ପ୍ରଦୂଷଣରେ ଜନଜୀବନ ଅତିଷ୍ଠ ହୋଇପଡ଼ିଛି । ଜଳ, ବାୟୁ ,ମୃତ୍ତିକା ସବୁ କିଛି ପ୍ରଦୂଷିତ ନେଇ ପରିବେଶବିତ୍ ଅଭିଯୋଗ କରିଛନ୍ତି । 

ଉତ୍କଟ ହେଉଛି ପ୍ରଦୂଷଣ ସମସ୍ୟା...

ସେହିପରି ତାଳଚେରରେ ମଧ୍ୟ ଉତ୍କଟ ହୋଇଛି ପ୍ରଦୂଷଣ ସମସ୍ୟା । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୁଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କୁହାଯାଉଥିବା ବେଳେ ବର୍ତ୍ତମାନ ଏହା ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଖଣି ଖାଦାନର କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ଟ୍ରକ୍‌ ଓ ରେଳ ୱାଗନ ଗୁଡ଼ିକରେ ପାଲଭିଡା ହେନ ଥିବାରୁ ପରିବହନ ସମୟରେ ବ୍ୟାପକ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଛି ।

ଘର ଠାରୁ ଆରମ୍ଭ କରି ରାସ୍ତାଘାଟ ଯୁଆଡ଼େ ସିଆଡ଼େ ଖାଲି ଧୂଳି ହିଁ ଧୂଳି l ଏନେଇ ଜିଲ୍ଲା ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।