Military Satellite
ଅପରେସନ ସିନ୍ଦୂର ପରେ ଭାରତ ଏବେ ଅଧିକ ଫୋକସ କରୁଛି ସାଟେଲାଇଟ୍ ଉପରେ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସାଟେଲାଇଟ୍ ମୁତୟନ କରିବାକୁ ଯାଉଛି । ଅତ୍ୟାଧୁନିକ ହେବ ଭାରତର ପ୍ରତିରକ୍ଷା କ୍ଷେତ୍ର । ଟାର୍ଗେଟ୍ କେବଳ ପାକିସ୍ତାନ ନୁହେଁ, ଚୀନକୁ ବି ମାତ୍ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଦେଶର ସୀମାକୁ ମହାକାଶରେ ଥାଇ ଜଗିବେ ଏହି ସାଟେଲାଇଟ୍ । ଆଗାମୀ ଦିନରେ ୫୨ଟି ମିଲିଟାରୀ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ସ୍ପେସ୍-ବେସଡ୍ ସର୍ଭିଲାନ୍ସ ପ୍ରୋଗ୍ରାମକୁ ଗତ ବର୍ଶ ଅକ୍ଟୋବର ମାସରେ ମଞ୍ଜୁରୀ ମିଳିଥିଲା । ଏଥିରେ ୨୬,୯୬୮ କୋଟି ଚଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଇସ୍ରୋ ୨୧ଟି ସାଟେଲାଇଟ୍ ଓ ୩ଟି ଘରୋଇ କଂପାନୀ ୩୧ଟି ସାଟେଲାଇଟ୍ ନିର୍ମାଣ କରିବେ । ଆସନ୍ତା ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରଥମ ସାଟେଲାଇଟ୍ ଲଞ୍ଚ ହେବ । ୨୦୨୯ ମସିହା ସୁଦ୍ଧା ୫୨ଟି ଯାକ ସାଟେଲାଇଟ୍ କାର୍ଯ୍ୟକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରତିରକ୍ଷା ବିଭାଗର ଡିଫେନ୍ସ ସ୍ପେସ୍ ଏଜେନ୍ସୀ ଜରିଆରେ ଏହି ପ୍ରୋଗ୍ରାମ କରାଯିବ । ଆଗରୁ ଧାର୍ଯ୍ୟ ହୋଇଥିବା ସମୟ ଠାରୁ କେତେ ଶୀଘ୍ର ଏହି କାର୍ଯ୍ୟ ହୋଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । କଣ୍ଟ୍ରାକ୍ଟ ନେଇଥିବା କଂପାନୀଗୁଡିକ ଶୀଘ୍ର କାମ ସାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସାଟେଲାଇଟ୍ ଗୁଡିକ ଚୀନ୍, ପାକିସ୍ତାନ ଓ ଭାରତ ମହାସାଗର ଉପରେ କଡା ନଜର ରଖିବ ।
କେବଳ ସେତିକି ନୁହେଁ ଭାରତୀୟ ବାୟୁସେନା ହାଇ ଅଲ୍ଟିଟୁଡ୍ ପ୍ଲାଟଫର୍ମ ସିଷ୍ଟମ(HAPS) ବିମାନ ମଧ୍ୟ ବ୍ୟବହାର କରିବ । ଏହି ବିମାନଗୁଡିକ ମାନବବିହୀନ ରହିବ । ଅର୍ଥାତ ଏହି ବିମାନରେ କେହି ମଣିଷ ରହିବେ ନାହିଁ । ଏହି ବିମାନ ଦୀର୍ଘ ସମୟ ଧରି ଷ୍ଟ୍ରାଟୋସ୍ଫିଅରରେ ରହି ସେବା ଯୋଗାଇପାରିବ ।
ଅପରେସନ ସିନ୍ଦୂର ସମୟରେ ଭାରତ କାର୍ଟୋସାଟ୍ ଭଳି ଘରୋଇ ସାଟେଲାଇଟ୍ ବ୍ୟବହାର କରିଥିଲା । ଏହାଦ୍ୱାରା ପାକିସ୍ତାନ ସେନାବାହିନୀର ଗତିବିଧି ଉପରେ ନଜର ରଖାଯାଇଥିଲା । ଆଗକୁ ୫୨ ସାଟେଲାଇଟ୍ ରଖି ଭାରତ ଶତ୍ରୁ ପକ୍ଷର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିବ ।
ଏହି ସାଟେଲାଇଟଗୁଡିକର ସୁରକ୍ଷା ମଧ୍ୟ ଜରୁରୀ । କାରଣ ଚୀନ୍ ଆଣ୍ଟି-ସାଟେଲାଇଟ୍ ମିସାଇଲ୍ ତିଆରି କରୁଛି । ହାଇପାୱାର ଲେଜର୍ ଅସ୍ତ୍ର ମଧ୍ୟ ତିଆରି କରୁଛି ଚୀନ୍ । ମହାକାଶରେ ଅନ୍ୟ ଦେଶର ସାଟେଲାଇଟର ନଜରରୁ ହଟି ଆକ୍ରମଣ କରିପାରିବ ଏହି ଲେଜର୍ ଅସ୍ତ୍ର । ଏପରିକି ସାଟେଲାଇଟକୁ ନିଷ୍କ୍ରୀୟ କରିବାକୁ ମଧ୍ୟ ମନ୍ଦ ବୁଦ୍ଧି ପ୍ରୟୋଗ କରିପାରେ ଚୀନ୍ । ତେଣୁ ଚୀନ ଯେମିତି ଭାରତୀୟ ସାଟେଲାଇଟର କିଛି କ୍ଷତି କରିପାରିବ ନାହିଁ, ତା ଉପରେ ମଧ୍ୟ ଜୋର୍ ଦିଆଯାଉଛି । ଏହି ସାଟେଲାଇଟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିବ ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751273443.jpg)