Advertisment

୨ ମାସରେ ୨ ମନ୍ତ୍ରୀ ନିଖୋଜ ! ଚୀନରେ ରହସ୍ୟମୟ ଭାବେ ଗାୟବ ହେଉଛନ୍ତି ମନ୍ତ୍ରୀ

ବିଦେଶ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ... ରାଷ୍ଟ୍ରପତି ଜିନପିଙ୍ଗଙ୍କ ରୋଷର ଶିକାର ହେଲେ କି?

ଅଦ୍ୟତନ ହୋଇଛି
China's Defence Minister Goes Missing

China's Defence Minister Goes Missing

Advertisment

ଚୀନରେ କଣ ଚାଲିଛି? କୁଆଡ଼େ ଗାଏବ ହୋଇଯାଉଛନ୍ତି ଜିନପିଙ୍ଗ କ୍ୟାବିନେଟର ଜଣଙ୍କ ପରେ ଜଣେ ବରିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ? ଦୁଇ ମାସ ଭିତରେ ଦୁଇ ଦୁଇଜଣ ମନ୍ତ୍ରୀ ନିଖୋଜ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା । ପୂର୍ବରୁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ନିଖୋଜ ହୋଇଯାଇଥିବା ବେଳେ, ଏବେ ଚର୍ଚ୍ଚା ହେଉଛି ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କର ବି ପତ୍ତା ମିଳୁନି । ତେବେ ଏହାର କାରଣ କଣ? ଜିନପିଙ୍ଗଙ୍କ ରୋଷର ଶିକାର ହୋଇନାହାନ୍ତି ତ ସେମାନେ?...

Advertisment

ଚୀନର ସି ଜିନପିଙ୍ଗ ସରକାରରେ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଲାପତା ହେବାକୁ ନେଇ ସାରା ବିଶ୍ୱରେ ହଇଚଇ । ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜକୁ ନେଇ ଚର୍ଚ୍ଚା । ଗତ କିଛି ଦିନ ଧରି ଚୀନର ପ୍ରତିରକ୍ଷାମନ୍ତ୍ରୀଙ୍କୁ କୌଣସି କାର୍ଯ୍ୟକ୍ରମରେ କିମ୍ବା ସାର୍ବଜନୀନ ଭାବେ ଦେଖିବାକୁ ମିଳୁନାହିଁ । ଏନେଇ ଜାପାନରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ରେହମ ଇମାନୁଏଲ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ସରଗରମ ଚର୍ଚ୍ଚା ହେଉଛି । ଚଳିତବର୍ଷ ଅଗଷ୍ଟ ୨୯ରେ ଶେଷ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂପର୍କରେ କୌଣସି ଖୋଜ ଖବର ମିଳୁ ନଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ୯ତାରିଖରେ ସେନାକୁ ଅଧିକ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ସହ ଏକତା ଓ ସ୍ଥିରତା ବଜାୟ ରଖିବା ପାଇଁ କହିଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ ଲି ଶାଙ୍ଗଫୁଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ଶାଙ୍ଗଫୁ ଏକ ସୈନ୍ୟ ପରିବାରରୁ ଆସିଛନ୍ତି ଏବଂ ତାଙ୍କ ବାପା ରେଡ୍ ଆର୍ମିରେ ଜାପାନ ବିରୋଧରେ ଯୁଦ୍ଧ ଲଢ଼ିଥିଲେ । ତେବେ ୨୦୧୭ରୁ ୨୦୨୨ ଯାଏଁ ଶାଙ୍ଗଫୁ ସେନା ଉପକରଣ ବିଭାଗର ପ୍ରମୁଖ ଥିଲେ ।

Advertisment

ଏହି ସମୟରେ ହାର୍ଡୱେର କ୍ରୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଏବେ ମଧ୍ୟ ଜାରି ରହିଛି । ତେଣୁ ଶାଙ୍ଗଫୁଙ୍କ ଗାଏବ ହେବା ପଛରେ ଏହି ତଦନ୍ତର କୌଣସି ଭୂମିକା ରହିଛି, ନା ଆଉ କୌଣସି କାରଣ, ତାହା ଏବେବି ଅସ୍ପଷ୍ଟ ।...

ଲି ଶାଙ୍ଗଫୁଙ୍କ ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗେଙ୍ଗ ମଧ୍ୟ ନିଖୋଜ ହୋଇଯାଇଥିଲେ। ଜୁଲାଇ ୪ରେ ୟୁରୋପୀୟ ସଂଘର ବିଦେଶ ନୀତି ମୁଖ୍ୟ ଯୋଶେଫ୍ ବୋଲେରୋଙ୍କ ସହ ତାଙ୍କୁ ଦେଖା କରିବାର ଥିଲା । କିନ୍ତୁ ଏହି ବୈଠକ ଅଚାନକ ବାତିଲ ହୋଇଯାଇଥିଲା । ତା ପରଠାରୁ ବିଦେଶ ମନ୍ତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅତି ନିକଟତମ କୁହାଯାଉଥିଲେ ମଧ୍ୟ ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ବିଦେଶ ମନ୍ତ୍ରୀଙ୍କ ପୂର୍ବରୁ ଦୁଇଜଣ ରକେଟ ଫୋର୍ସ କମାଣ୍ଡର ମଧ୍ୟ ଗାଏବ ହୋଇଯାଇଥିଲେ । ସେମାନଙ୍କ ବାବଦରେ ମଧ୍ୟ କୌଣସି ସୂଚନା ମିଳି ନଥିଲା।...

Advertisment

ଚୀନ୍ ମନ୍ତ୍ରୀ ଓ ସେନାଧିକାରୀ ନିଖୋଜ ହେବା କାରଣ କଣ?

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକ ଦିନ କ୍ଷମତାରେ ରହିବା ପାଇଁ ସବୁ ଶକ୍ତି ପ୍ରୟୋଗ କରୁଥିବା ସୂଚନା ମିଳିଛି । ୨୦୧୩ ମସିହାରେ ପ୍ରଥମଥର କ୍ଷମତାକୁ ଆସିବା ପର ଠାରୁ ସେ ତାଙ୍କର କିଛି ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିଦେଇଥିଲେ । ଆଉ ସେମାନଙ୍କ ବଦଳରେ ତାଙ୍କର ନିକଟତମ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଇଥିଲେ । ତା ପରଠାରୁ ପ୍ରତିବର୍ଷ ସେ ଏପରି ପଦକ୍ଷେପ ନେଉଛନ୍ତି । ଚୀନ ଏବେ ଅନେକ କଠିନ ପରିସ୍ଥିତିର ସାମ୍ନା କରୁଛି । କୋଭିଡ୍ ମହାମାରୀ ପରେ ଏହାର ଅର୍ଥନୀତି ପୂର୍ବଭଳି ମଜବୁତ ନାହିଁ ।

ଏପରିକି ଗତ ମାସରେ ଦେଶର ବେକାରୀ ସଂଖ୍ୟା ଘୋଷଣାକୁ ସ୍ଥଗିତ ରଖାଯାଇଛି । ୧୬ରୁ ୨୪ ବର୍ଷ ଯୁବପିଢିଙ୍କ ମଧ୍ୟରେ ବେକାରୀ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏଥିସହ ପଡୋଶୀ ରାଷ୍ଟ୍ରମାନଙ୍କ ସହ ଚୀନର ସମ୍ପର୍କରେ ତିକ୍ତତା ଆସିଛି । ତାଇୱାନ, ଭାରତ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏକପ୍ରକାର ଠପ୍ ହୋଇଯାଇଛି । ଆଉ ଏଭଳି ସମୟରେ ଦେଶର ତୁଙ୍ଗ ନେତାଙ୍କ ଅଚାନକ ଗାଏବ ହେବା ସି ଜିନପିଙ୍ଗଙ୍କ ନେତୃତ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଉଛି।...

ଚୀନରେ ଏଭଳି ନିଖୋଜ ହେବା ଘଟଣା କିଛି ନୂଆ ନୁହେଁ । ଆଧୁନିକ ଚୀନର ପ୍ରତିଷ୍ଠାତା କୁହାଯାଉଥିବା ମାଓ ଜେଡଙ୍ଗଙ୍କ ସମୟରୁ ଏହି ଧାରା ଚାଲି ଆସୁଛି । ସେତେବେଳେ ଲୋକମାନଙ୍କୁ ସମାଲୋଚନା କରିବାକୁ ଅନୁମତି ଦିଆଯାଉ ନଥିଲା। ଯେଉଁମାନେ ଶାସକ ବିରୋଧରେ ଅଭିଯୋଗ ଆଣୁଥିଲେ, ସେମାନଙ୍କର ଆଉ କୌଣସି ପତ୍ତା ମିଳୁନନଥିଲା। ବିରୋଧୀ ଓ ସମାଲୋଚକମାନଙ୍କୁ ସବୁଦିନ ପାଇଁ ଗାଏବ କରି ଦିଆଯାଉଥିଲା । ମାଓ ଜେଡଙ୍ଗ ଏଭଳି ଷଡଯନ୍ତ୍ର କରୁଥିଲେ। ତାଙ୍କ ପରେ ଏହି ଧାରା କିଛି ଦିନ ପାଇଁ ବନ୍ଦ ରହିଥିଲା । ଆଉ ଏବେ ଚୀନର ବର୍ତ୍ତମାନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସେଭଳି ରାସ୍ତାରେ ଯାଉଥିବା ଚର୍ଚ୍ଚା ହେଉଛି ।...

China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ