ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆସିଥିବାରୁ କରୋନାର ଲମ୍ୱ ଡିଆଁ ଦେଖାଯାଇଛି । ଗତ ସପ୍ତାହ ପୂର୍ବରୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛଅରୁ ଦଶ ହଜାର ରିପୋର୍ଟ କରାଯାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିଛି । ଯାହାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ ସଂକ୍ରମଣ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି ।
ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ କେସ୍ ଉପରେ କଡାକଡି ଭାବରେ ନଜର ରଖିବା ଉଚିତ୍ ।
Also Read
ସୂଚନାଅନୁସାରେ, ବର୍ତ୍ତମାନ ମହାରାଷ୍ଟ୍ର , ଦିଲ୍ଲୀ , ପଶ୍ଚିମବଙ୍ଗ ସମେତ ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ହୋଇପଡିଛି । ଗତକାଲି ସାରା ଦେଶରେ ପ୍ରାୟ ୧ ଲକ୍ଷ ୮୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିନକୁ ଦିନ କରୋନା ସଂକ୍ରମଣର ହାର ବୃଦ୍ଧି ପାଇବାରେ ଲାଗିଛି ।
ଏହି ପରିସ୍ଥିତିରେ ଆଜି କରୋନା ସ୍ଥିତି ସମ୍ପର୍କରେ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଏକ ଚିଠି ପଠାଯାଇଛି । ଏହି ଚିଠିରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ କେନ୍ଦ୍ର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ବର୍ତ୍ତମାନ ସକ୍ରିୟ କେସ୍ ମଧ୍ୟରୁ କେବଳ ୫ ରୁ ୧୦ ପ୍ରତିଶତ କରୋନା ମାମଲାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ। ଏହି ପରିସ୍ଥିତିରେ ପ୍ରତିଦିନ କରୋନା ମାମଲା ଦ୍ରୁତ ବେଗରେ ବଢ଼ିବାର ତଥା ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହାସହ ସେ କହିଛନ୍ତି ଯେ, ଯଦି ଏହିପରି ପରିସ୍ଥିତି ଜାରି ରହିବ ତେବେ ଆଗାମୀ ଦିନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାର ଆଶଙ୍କା ରହିଛି ।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା କୋଭିଡ ଚିକିତ୍ସା ଉପରେ କଡାକଡି ନଜର ରଖିବାକୁ ପଡିବ ଯାହା ଦ୍ୱାରା ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବା । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା କେସ୍ ଏବଂ ରାଜ୍ୟଗୁଡିକରେ ଆସୁଥିବା ମୋଟ ସକ୍ରିୟ କେସ୍ ଉପରେ ନଜର ରଖିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।