Advertisment

ଉତ୍ତରାଖଣ୍ଡର ସ୍ଥିତି ସଙ୍ଗୀନ: ଭାଙ୍ଗିଲା ଘର, ଭାସିଲା କାର

ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।

Uttarakhand

Uttarakhand

Advertisment

ଉତ୍ତରାଖଣ୍ତର ପିଥୋରାଗଡର ଧରଚୁଲାରେ ଭୟଙ୍କର ସ୍ଥିତି । ହଠାତ୍‌ ବାଦଲଫଟା ବର୍ଷା ହେବା କାରଣରୁ ଛିନଛତର ହୋଇଯାଇଛି ପାହାଡ ତଳ ଅଂଚଳ । ପାଣି ଏତେ ଜୋରରେ ମାଡି ଆସିଲା ଯେ କିଏ କୁଆଡେ ଯିବେ କିଛି ବୁଝିପାରିଲେନି ।

Advertisment

ଶୁକ୍ରବାର ରାତିରେ ପିଥୋରାଗଡର ଧରଚୁଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଯାଇଛି । ପାହାଡ ଉପରୁ ଏତେ ଜୋରରେ ବର୍ଷା ପାଣି ବୋହି ଆସିଲା ଯେ ଗାଡି ମଟର ସହ ଶହଶହ ଘରଦ୍ୱାରକୁ ଭସାଇ ନେଲା । ଘର ଗୁଡିକ ଭାଙ୍ଗି ସୁଅରେ ବୋହି ଯାଉଛି । ବର୍ଷା ପାଣି ମାଡରେ ରାସ୍ତାରେ ପାର୍କିଂ ହୋଇଥିବା ଗାଡି ଗୁଡିକ ମଧ୍ୟ ଭାସିଯାଇଛି । ଯାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ଖୋଟିଲା, ଗୱାଲ୍ ଗାଁର ମଲ୍ଲୀ ବଜାରରେ ସବୁଠୁ ଅଧିକ ଗାଡି ଭାସିଯାଇଥିବା କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାଦଲ ଫଟା ବର୍ଷାରେ କେତେ ଲୋକ ନିଖୋଜ ଅଛନ୍ତି ସେନେଇ କୌଣସି ସୂଚନା ପ୍ରଶାସନ ପକ୍ଷରୁ ଦିଆଯାଇନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ରାତିରେ ହଠାତ୍‌ ଭୟଙ୍କର ଭାବରେ ବର୍ଷା ହୋଇଥିଲା । ଆଉ ଏହି ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ଘର ଭିତରେ ପଶିଥିଲା କାଦୁଅ ଓ ଗୋଳିଆ ପାଣି । ନିଜେ ସୁରକ୍ଷିତ ରହିବେ ନା ଘରର ଜିନିଷ ସୁରକ୍ଷିତ ରଖିବେ କିଛି ଭାବିପାରିନଥିଲେ ଲୋକେ। ସମୟ ଯେତିକି ବଢୁଥିଲା, ପାଣିର ବେଗ ଓ ବର୍ଷା ବି ସେତିକି ବଢୁଥିଲା। ତେଣୁ ଜୀବନକୁ ବଂଚାଇବା ପାଇଁ ଘର ଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ ଲୋକେ ।

Advertisment

ସେପଟେ ପାଣିପାଗକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଓ SDRF ସତର୍କ ରହିଥିବା ଜଣାପଡିଛି । ଏମିତିକି ଦରକାର ପଡିଲେ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ କହିଛି । ପାହାଡିଆ ସ୍ଥାନରେ ଅନେକ ଘର ଭାଙ୍ଗିଯାଇଥିବା ବେଳେ କିଛି ଘର ବନ୍ୟା ପାଣିରେ ଭାସିଯାଇଥିବା କୁହାଯାଉଛି । ନଦୀ ଗୁଡିକରେ ପାଣି ବଢୁଥିବା କାରଣରୁ ଲୋକଙ୍କୁ ସତର୍କ କରାଯାଇଛି। ଏମିତିକି କାଳି ନଈ ବର୍ତ୍ତମାନ ରୁଦ୍ର ରୂପ ଧାରଣ କରିଥିବା କୁହାଯାଉଛି।

ପ୍ରଶାସନ ଦେଇଥିବା ସୂଚନା ଅନୁସାରେ , ପ୍ରବଳ ବର୍ଷାରେ କାଳି ନଈରେ ଏକ ବିରାଟ ପଥର ଖଣ୍ଡ ଭାସିଆସିବାରୁ ପାଣି ପ୍ରବାହିତ କମିଥିଲା । ଆଉ ପଥର ହଟିଯିବା ପରେ ନଈରେ ହଠାତ୍‌ ଜୋରରେ ପାଣି ପ୍ରବାହିତ ହୋଇଥିଲା । ତେଣୁ ଏମିତି ସ୍ଥିତି ଉପୁଜିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପିଥୋରାଗଡ ବାସୀ । ତେବେ ଏହି ବର୍ଷାରେ ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ରିପୋର୍ଟର- ଅରବିନ୍ଦ

Advertisment
Uttarakhand Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ