ଅଷ୍ଟ୍ରେଲିଆ ଫେରାଇଲା ୨୯ ପ୍ରାଚୀନ ମୂର୍ତ୍ତି

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।

antiquities

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା । ଯାହାକୁ ଉଦ୍ଧାର କରି ଆଜି ଭାରତକୁ ହସ୍ତାନ୍ତର କରିଛନ୍ତି ଅଷ୍ଟ୍ରେଲିଆ ସରକାର । ପ୍ରଧାନମନ୍ତ୍ରୀ ମୋଦି ଏହିସବୁ ପ୍ରାଚୀନ ସାମଗ୍ରୀକୁ ନିଜେ ପରଖିଥିଲେ । ଏଥିସହ ସେ ଦେଶବାସୀଙ୍କ ପକ୍ଷରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍‌ଙ୍କୁ ଭିଡିଓ କନ୍‌ଫରେନ୍ସ ଯୋଗେ ଆଲୋଚନା ବେଳେ ଧନ୍ୟବାଦ ଜଣାଇଛନ୍ତି ।

ସ୍ୟାଣ୍ତଷ୍ଟୋନ୍, ମାର୍ବଲ୍, କଂସା, ପିତ୍ତଳ ଓ କାଗଜର ଏହି ୨୯ଟି ପ୍ରାଚୀନ କିର୍ତ୍ତୀରାଜିରେ ଶିବ, ଶକ୍ତି ଓ ବିଷ୍ଣୁ ମୂର୍ତ୍ତି, ଜୈନ ପରମ୍ପରା, ସାଜସଜ୍ଜା ସାମଗ୍ରୀ ଆଦି ରହିଛି । ଏସବୁ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରୁ ବେଆଇନ ଭାବେ ଦେଶ ବାହାରକୁ ଚାଲାଣ କରାଯାଇଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍‌ଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା ବେଳେ ଉଭୟ ଦେଶର ମଜବୁତ ସଂପର୍କ ଓ ଭାଗିଦାରୀ କଥା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଆଲୋଚନା ଦ୍ୱାରା ଭାରତ-ଅଷ୍ଟ୍ରେଲିଆ ସଂପର୍କର ନିୟମିତ ସମୀକ୍ଷା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ ହେବ । ବିଗତ ବର୍ଷମାନଙ୍କରେ ଏହି ସଂପର୍କରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆସିଛି । ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଉଭୟ ଦେଶର ଭାଗିଦାରୀ ରହିଛି ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷରେ କ୍ୱାଡ୍ ୟୁକ୍ରେନ୍ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମରିସନ୍ କହିଛନ୍ତି ।