ଗାଈଙ୍କ ପାଇଁ ଆମ୍ବୁଲାନ୍ସ ସେବା, କଲ୍ କଲା ମାତ୍ରେ ୧୫ ମିନିଟ୍‌ରେ ପହଞ୍ଚିବ . . .

୨୪ ଘଣ୍ଟା ସକ୍ରିୟ ରହିବ ଅଭିନବି ଆମ୍ବୁଲାନ୍ସ ସେବା । ବିଶେଷ କଥା ହେଉଛି ଏହି ଯୋଜନାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଯୋଗୀ ସରକାର ଏକ କଲ ସେଣ୍ଟର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି ।

ଗୋମାତାଙ୍କ ପାଇଁ ଆମ୍ବୁଲାନ୍ସ ସେବା

ଲକ୍ଷ୍ନୌ : ଗୋମାତାଙ୍କ ପାଇଁ ଆମ୍ବୁଲାନ୍ସ ସେବା । ଆଉ ରୋଗ ଯନ୍ତ୍ରଣାରେ ପଡ଼ି ଛଟପଟ୍ ହେବେନି ଗୋମାତା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଈଙ୍କ ଚିକିତ୍ସା କରିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ଯୋଗୀ ସରକାର ବର୍ତ୍ତମାନ ଗାଈମାନଙ୍କ ଚିକିତ୍ସା ପାଇଁ ଅଭିନବ ଆମ୍ବୁଲାନ୍ସ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ପରେ ବିନା ବିଳମ୍ବରେ ଆହତ ଗାଈଙ୍କୁ ଚିକିତ୍ସାଳୟ ନିଆଯାଇପାରିବ । ଏଥି ସହିତ ସରକାର ଗୋରୁ ପାଳକ ମାନଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ସର୍ବପ୍ରଥମେ ଅଭିନବି ଆମ୍ବୁଲାନ୍ସ ସେବା ଅଧୀନରେ ରାଜ୍ୟରେ ମୋଟ ୫୧୫ଟି ଆମ୍ବୁଲାନ୍ସ ଚାଲିବ । ଏହି ଆମ୍ବୁଲାନ୍ସରେ ଜଣେ ପ୍ରାଣୀ ଚିକିତ୍ସକ ଏବଂ ଦୁଇଜଣ ଭେଟନାରୀ ଷ୍ଟାଫ୍ ରହିବେ । ୨୪ ଘଣ୍ଟା ସକ୍ରିୟ ରହିବ ଅଭିନବି ଆମ୍ବୁଲାନ୍ସ ସେବା । ବିଶେଷ କଥା ହେଉଛି ଏହି ଯୋଜନାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଯୋଗୀ ସରକାର ଏକ କଲ ସେଣ୍ଟର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । କଲ୍ କଲା ମାତ୍ରେ ଆମ୍ବୁଲାନ୍ସ ୧୫ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଯିବ । ଡିସେମ୍ବର ମାସରେ ଅଭିନବ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ।

ଏହା ବ୍ୟତୀତ ବର୍ତ୍ତମାନ ଉତ୍ତରପ୍ରଦେଶରେ ଗୋପାଳକଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ । ସେମାନେ ରଖିଥିବା ଗାଈଙ୍କୁ ୩ ଥର ମାଗଣା ଗର୍ଭଧାନ ସୁଯୋଗ ଦିଆଯିବ । ଆଉ ଏଥିପାଇଁ ସରକାର ଏମ୍ବ୍ରିଇ ଟ୍ରାନ୍ସପ୍ଲାଣ୍ଟ୍ କୌଶଳ ବ୍ୟବହାର କରିବେ । ଏହାପୂର୍ବରୁ ୟୁପିର ବାରବାଙ୍କି ଜିଲ୍ଲାରେ ଏହି କୌଶଳ ବ୍ୟବହାର କରାଯାଇଥିଲା, ଯାହାର ଫଳାଫଳ ମଧ୍ୟ ବହୁତ ଭଲ ଥିଲା ।

ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପଶୁ ପାଳକଙ୍କୁ ଏହି ଏହି ସୁବିଧା ମିଳିବ । ତେବେ ରାଜ୍ୟରେ ଖୁବ୍ ଶୀଘ୍ର ୫୧୫ଟି ଆମ୍ବୁଲାନ୍ସ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ଉତ୍ତରପ୍ରଦେଶ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ । ଅଭିନବ ଆମ୍ବୁଲାନ୍ସ ସେବା ପାଇଁ ଲକ୍ଷ୍ନୌରେ ଏକ କଲ ସେଣ୍ଟର ନିର୍ମାଣ କରାଯିବ । ଯଦ୍ୱାରା ସିଧାସଳଖ ଭାବେ ଉପକୃତ ହେବେ ପଶୁପାଳକ ।