ମଣିପୁରରେ ଲଜ୍ଜା ! ରାସ୍ତାରେ ମହିଳାଙ୍କୁ ବିବସ୍ତ୍ର କରି ନିର୍ଯାତନା, ଭିଡିଓ ଭାଇରାଲ ପରେ ଦେଶ ସାରା ବିରୋଧ

ମଣିପୁର ଲଜ୍ଜାକୁ ନେଇ ସଂସଦରୁ ସଡ଼କ ଯାଏଁ ଝଡ଼ । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି ।

Manipur Violence

ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ମଣିପୁର ହିଂସାକାଣ୍ଡରେ କଳା ଫର୍ଦ୍ଦ ଯୋଡ଼ିଛି ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା । ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର ।

ଇମ୍ଫାଲରେ ଶହ ଶହ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ତେଣେ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି ମୃତ୍ୟୁ ଦଣ୍ଡ ଦେବା ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।

ମଣିପୁର ଲଜ୍ଜାକୁ ନେଇ ସଂସଦ ହୁଲସ୍ତୁଲ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ, ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହ ବାହାରେ ପ୍ରତିକ୍ରିୟା ରଖୁଥିବା ବେଳେ ଗୃହ ଭିତରେ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ତେବେ ସରକାର ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ସଂସଦକୁ ଚଳାଇ ନଦେବାକୁ ଉଦ୍ୟମ କରୁଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ମଣିପୁର ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ମଣିପୁରରେ ଯାହା ଘଟିଛି, ତାହା କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏହି ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ତେବେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ। ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମଣିପୁର ଘଟଣା ସାମ୍ବିଧାନିକ ବ୍ୟବସ୍ଥାର ଚରମ ବିଫଳତା ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ । ମାମଲାର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହିତ, ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଘଟଣା ଦୁଃଖଦାୟକ ବୋଲି କହିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ମଣିପୁର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାରି ଭିତରେ ମଣିପୁରର ଏହି ଲଜ୍ଜାଜନକ ଭାଇରାଲ୍ ଭିଡିଓକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଗକୁ ଯେପରି ଭାଇରାଲ୍ ନହୁଏ ସେଦିଗରେ ପଦକ୍ଷେପ ନେବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।