ବୈଷ୍ଣୋ ଦେବୀ ଭବନରେ ଦଳାଚକଟା : ୧୨ ଜଣ ମୃତ, ଅନେକ ଗୁରୁତର

ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ବୈଷ୍ଣୋ ଦେବୀ ଭବନରେ ଦଳାଚକଟା

News Summary

ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି

ନୂଆବର୍ଷରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଭୋରରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ହଜାର ହଜାର ଭକ୍ତ ଧାଡିରେ ଛିଡା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ

ନୂଆ ବର୍ଷରେ ଅଘଟଣ । ଜମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ହୋଇଛି । ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାତଃ ପ୍ରାୟ ୨.୪୫ରେ ଏହି ଘଟଣା ଘଟିଛି । ଭକ୍ତମାନେ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ କରିବା ପରେ ପରସ୍ପରକୁ ଠେଲି ଦେଇଥିଲେ, ଯାହା ଫଳରେ ଦଳାଚକଣଟା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ ।

ନୂଆବର୍ଷରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆଜି ଭୋରରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ହଜାର ହଜାର ଭକ୍ତ ଧାଡିରେ ଛିଡା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ କୌଣସି କାରଣକୁ ଭକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହାକୁ ନେଇ ହଠାତ୍ ଦଳା ଚକଟା ଆରମ୍ଭ ହୋଇଯାଇଥିଲା । ଅନେକ ଲୋକ ଭିଡରେ ଫସିଯାଇଥିଲେ । ଫଳରେ ୧୨ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଜଣେ ଜଣେ ଭକ୍ତ ଅଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟମାନଙ୍କୁ ଚିହ୍ନିବା ପାଇଁ ପ୍ରୟାସ କରାଯାଇଛି ।

କାଟ୍ରା ହସ୍ପିଟାଲର ବିଏମଓ ଡଃ ଗୋପାଳ ଦତ୍ତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଆହତମାନଙ୍କୁ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ୍ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ସେ ଜାମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଓ ନିତ୍ୟାନନ୍ଦ ରାୟ ।   ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ସହାୟତା ଘୋଷମା କରିଛନ୍ତି । ମୃତକଙ୍କ ନିକଟତମ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି  ।