‘ଜନତାଙ୍କଠାରୁ ଯାହା ଲୁଟିଛ, ତାକୁ କଡ଼ାଗଣ୍ଡା ଫେରାଇବାକୁ ପଡ଼ିବ’

ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାକୁ ନେଇ ‘ଏକ୍ସ’ରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

PM Modi

ଆଇଟି ରେଡ ବେଳେ ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି କଡା ପ୍ରତିକ୍ରିୟା । ସୋସିଆଲ ମିଡିଆ ଏକ୍ସରେ ମୋଦି ଲେଖିଛନ୍ତି, ଜନତାଙ୍କ ଠାରୁ ଯାହା ଲୁଟିଛ, ତାର ପଇସା ପଇସା ଫେରାଇବାକୁ ପଡିବ । ଏହା ମୋଦିଙ୍କର ଗ୍ୟାରେଣ୍ଟି ବୋଲି ଏକ୍ସରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଯେ, ଦେଶବାସୀ ଟଙ୍କାର ପାହାଡ଼ ଦେଖନ୍ତୁ ଏବଂ ତାଙ୍କ ନେତାମାନଙ୍କ ଭାଷଣ ଶୁଣନ୍ତୁ । ଟଙ୍କା ଦେଖନ୍ତୁ ଓ ସେମାନଙ୍କ ନେତାଙ୍କର  ଇମାନଦାରୀର ଭାଷଣ ଶୁଣନ୍ତୁ ବୋଲି ମୋଦି ଲେଖିଛନ୍ତି ।

 

ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଖୋଳତାଡ଼ରେ ପ୍ରତିଦିନ ବାହାରୁଛି ନୂଆ ନୂଆ ତଥ୍ୟ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଯାଞ୍ଚ ଓ ତା’ ସହ କୋଟି କୋଟି ଟଙ୍କାର ଗଣତି । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ ।

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । ଜବତ ହୋଇଥିବା ୨୦୦ କୋଟିରୁ ଅଧିକ ଟଙ୍କାକୁ ଗଣତି କରିବାରେ ଲାଗିଛନ୍ତି ଆୟକର ବିଭାଗ । ସମ୍ବଲପୁର, ବଲାଙ୍ଗିର, ରାଉରକେଲା, ବୌଦ୍ଧ, ସୁନ୍ଦରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି ।

ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ? କିଏ ଏହି ଟଙ୍କା ରଖିଥିଲେ ସେସବୁ ଦିଗକୁ ଟିକନିଖ୍ କରି ତଦନ୍ତ ଚାଲିଛି । ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ଭୁବନେଶ୍ୱର ଥିବାରୁ ଏହି ତଦନ୍ତ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।