‘କଂଗ୍ରେସ ନଥିଲେ ପରିବାରମୁକ୍ତ ହୋଇଥାଆନ୍ତା ଗଣତନ୍ତ୍ର’

କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।

Prime Minister Narendra Modi

ଲୋକସଭା ଭଳି ରାଜ୍ୟସଭାରେ ବି କଂଗ୍ରେସକୁ ନିଶାନା କଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚା ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଗଣତନ୍ତ୍ର କଂଗ୍ରେସର ଦୟାରେ ଚାଲୁନି ବୋଲି କହିବା ସହ କଂଗ୍ରେସରେ ପରିବାରବାଦ ରାଜନୀତି ଚାଲିଛି ବୋଲି କହି ସମାଲୋଚନା କରିଛନ୍ତି ମୋଦି । ଯେଉଁଠି ପରିବାରବାଦ ଚାଲେ, ସେଠି ଦକ୍ଷତାର ମୃତ୍ୟୁ ଘଟିଥାଏ ।

ଭାରତରେ କଂଗ୍ରେସ ନଥିଲେ କଣ ହୋଇଥାନ୍ତା ତାହାର ଅନେକ ପଏଣ୍ଟ ରଖି ଅତି ଶାଣିତ ଢଙ୍ଗରେ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କଂଗ୍ରେସ ନଥିଲେ ଆଜି ଏଠି ପରିବାରବାଦ ନଥାନ୍ତା,ଜରୁରୀକାଳୀନ ସ୍ଥିତିର କଳଙ୍କ ଲାଗି ନଥାନ୍ତା ,ଶିଖ୍ ଓ କାଶ୍ମୀର ପଣ୍ଡିତଙ୍କ ରକ୍ତପାତ ଘଟିନଥାନ୍ତା, ଝିଅଙ୍କୁ ତନ୍ଦୁର ଭାଟିରେ ଜଳାଯାଇନଥାନ୍ତା, ଆନ୍ଧ୍ର-ତେଲେଙ୍ଗାନା ବିଭାଜନ ହୋଇନଥାନ୍ତା । କଂଗ୍ରେସ ଦେଶର ବିକାଶରେ ବାଧା ସୃଷ୍ଟି କରୁଛି କହି ରାଜ୍ୟସଭାରେ କଂଗ୍ରେସ ଉପରେ ଏଭଳି ଢଙ୍ଗରେ ବର୍ଷିଲେ ପ୍ରଧାନମନ୍ତ୍ରୀ ।

ଏହାସହ କରୋନା ସଂକ୍ରମଣ ଓ ଟିକାକରଣ ବେଳେ ସରକାରଙ୍କ ଉପରେ ବିରୋଧୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇ ତୀବ୍ର ସମାଲୋଚନା କରିଛନ୍ତି । ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏହା ଦେଶର ଛବିକୁ ବିଶ୍ୱରେ ଖରାପ କରୁଥିଲା ବୋଲି ମୋଦି କହିଛନ୍ତି ।

ଗତକାଲି ମଧ୍ୟ ଧନ୍ୟବାଦ ପ୍ରସ୍ତାବ ବେଳେ ଲୋକସଭାରେ କଂଗ୍ରେସକୁ ଶାଣିତ ଢଙ୍ଗରେ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ପରେ କଂଗ୍ରେସ କକ୍ଷ ତ୍ୟାଗ କରିବା ସହ ଏହାର ପ୍ରତିବାଦ କରିଛି ।