ଲୁଣ କମ୍ପାନୀ କାନ୍ଥ ଭୁଶୁଡ଼ି ୧୨ ମୃତ, ୧୫ରୁ ଅଧିକ ଆହତ

ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Wall Collapsed

ମୋରବି ଜିଲ୍ଲାର ହଲବଦରେ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ପାଞ୍ଚ ମହିଳାଙ୍କ ସମେତ ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କାନ୍ଥ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଜେସିବି ମେସିନ ସାହାଯ୍ୟରେ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ସହରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି ।

ଛୋଟ ପିଲା ମଧ୍ୟ ଆହତ ହୋଇଥିବା ସୂଚନା

ହଲବଦ GIDC ସ୍ଥିତ ସାଗର ସଲ୍ଟ ନାମକ ଏହି କାରଖାନାରେ ଯେତେବେଳେ କାନ୍ଥ ଭୁଶୁଡ଼ିଲା ସେତେବେଳେ ଫ୍ୟାକ୍ଟ୍ରିରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କିଛି ଶ୍ରମିକଙ୍କ ପିଲା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେଣୁ ସେହି ପିଲାମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ସୁଦ୍ଧା ପିଲାମାନଙ୍କୁ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

 

ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିଆ ଏବଂ କଲେକ୍ଟରଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କାନ୍ଥଟି କାହିଁକି ଓ କେମିତି ଭୁଶୁଡ଼ିଲା, ସେନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସି ନାହିଁ ।

ଅନେକ ଶ୍ରମିକ ଖାଇବାକୁ ଯାଇଥିଲେ

ଦୁର୍ଘଟଣାର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ୪୦ରୁ ଅଧିକ ଶ୍ରମିକ ଏଠାରେ ଲୁଣ ପ୍ୟାକେଟ୍‌ କରୁଥିଲେ । ସୌଭାଗ୍ୟବସତଃ ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ଖାଇବା ପାଇଁ ବାହାରକୁ ଯାଇଥିଲେ । ଶ୍ରମିକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନେ ରାଧନପୁର ତହସିଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ‘ମୋରବିରେ କାନ୍ଥ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ପୀଡିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ।’ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସ୍ଥାନୀୟ ପ୍ରଶାସନ ସମସ୍ତ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୃତକଙ୍କ ପରିବାରକୁ ୪ ଲକ୍ଷ

ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏଥିସହିତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।