ଅଣ-କାଶ୍ମୀରୀ ଦେବେ ଭୋଟ ! ଭାରତ ସହ ଜାମ୍ମୁ-କାଶ୍ମୀରର ପୂର୍ଣ୍ଣ ବିଲୟ ଲାଗି କେନ୍ଦ୍ରର ବଡ଼ ପଦକ୍ଷେପ

ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।

Kashmir Voter

ଭାରତ ସହ ଜାମ୍ମୁ ଓ କାଶ୍ମୀରର ପୂର୍ଣ୍ଣ ବିଲୟ ଲାଗି କେନ୍ଦ୍ରର ଆଉ ଏକ ବଡ଼ ପଦକ୍ଷେପ । ଧାରା ୩୭୦ ପ୍ରତ୍ୟାହାର ଓ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ପରେ ଏଠାକାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବି ହେବାକୁ ଯାଉଛି ସଂଶୋଧନ । ପରବର୍ତ୍ତୀ ନିର୍ବାଚନରେ ଅଣ କାଶ୍ମୀରୀମାନେ ବି ଏଠାରେ ଭୋଟ ଦେଇପାରିବେ । ଏଥିଲାଗି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ଏଠାରେ ବସବାସ କରୁଥିବା ୨୫ରୁ ୩୦ ଲକ୍ଷ ଭୋଟର ମତଦାନର ଅଧିକାର ପାଇବେ ।

୨୦୧୯ ଅଗଷ୍ଟ ୫ । ଏହି ଦିନ ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା ୩୭୦କୁ ପ୍ରତ୍ୟାହାର କରିଥିଲେ କେନ୍ଦ୍ର ସରକାର । ଆଉ ଏହାର ୩ ବର୍ଷ ପରେ ଭାରତ ସହ କାଶ୍ମୀରର ପୂର୍ଣ୍ଣ ବିଲୟ ଲାଗି ସରକାର ନେଇଛନ୍ତି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଧାରା ୩୭୦ ଓ ୩୫-A ହଟିବା ପରେ ଏଠାରେ ଅଣକାଶ୍ମୀରୀ ଜାଗା କିଣିବା ଓ ଭୋଟ୍ ଦେବା ଅଧିକାର ପାଇବା ଲାଗି ବାଟ ଫିଟିଥିଲା । ଏହା ଅନ୍ତର୍ଗତ ଅଣକାଶ୍ମୀରୀକୁ ମତଦାନ ପ୍ରକ୍ରିୟାରେ ସାମିଲ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ଅନ୍ୟ ରାଜ୍ୟ ଭଳି ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ୨୫ରୁ ୩୦ ଲକ୍ଷ ଲୋକ ଭୋଟ ଦେବା ଲାଗି ପାଇବେ ଅଧିକାର । ଏଥିପାଇଁ ଭୋଟର୍ ତାଲିକାରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜମ୍ମୁ ଓ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଫିସର ହିର୍ଦ୍ଦେଶ କୁମାରଙ୍କ ଅନୁସାରେ ଏଠାରେ ଏବେ ୭୬ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ତେଣୁ ଏହି ସଂଖ୍ୟାର ପ୍ରାୟ ଏକ-ତୃତୀୟଂଶ ନୂଆ ଭୋଟର୍ ଆସନ୍ତା ନିର୍ବାଚନରେ ମତଦାନ କରିପାରିବେ । ଗଲା ୪ ବର୍ଷ ହେଲା ଜମ୍ମୁ ଓ କାଶ୍ମୀରରେ ନିର୍ବାଚିତ ସରକାର ନାହିଁ । ତେବେ ନିକଟରେ ରାଜ୍ୟରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଛି । ତେଣୁ କେନ୍ଦ୍ର ଖୁବ୍‌ଶୀଘ୍ର ଏଠାରେ ନିର୍ବାଚନ କରାଇବା ସମ୍ଭାବନା ସୃଷ୍ଟି ହୋଇଛି ।

ସେପଟେ ଅଣ କାଶ୍ମୀରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବାକୁ ନେଇ ଏଠାକାର ରାଜନୈତିକ ଦଳଗୁଡିକ ଜୋରଦାର ଢଙ୍ଗରେ ବିରୋଧ କରିଛନ୍ତି । ବିଜେପି ହତାଶ ହୋଇ ଏଭଳି କରୁଥିବା କହିଛନ୍ତି ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦ୍ଦୁଲା । ଦଳକୁ ଜମ୍ମୁ ଓ କାଶ୍ମୀରବାସୀଙ୍କ ସମର୍ଥନ ନଥିବାରୁ ବିଜେପି ସେଠାକୁ ଭୋଟର୍ ଆମଦାନୀ କରୁଥିବା ସେ କଟାକ୍ଷ କରିଛନ୍ତି । ପିଡିପି ନେତ୍ରୀ ମେହବୁବା ମୁଫତି ମଧ୍ୟ କେନ୍ଦ୍ର ନିଷ୍ପତ୍ତିର ସମାଲୋଚନା କରିଛନ୍ତି । ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଚକ୍କରରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ମେହବୁବା । ଆଞ୍ଚଳିକ ଦଳଗୁଡ଼ିକ ଯେଭଳି କ୍ଷମତାକୁ ଆସିନପାରିବେ, ସେଥିଲାଗି ବିଜେପି ଏଭଳି ମସୁଧା କରିଛି ଓ ଏହାର ପରିଣାମ ଭଲ ହେବନି ବୋଲି ସେ ସେତାବନୀ ଦେଇଛନ୍ତି । କଂଗ୍ରେସ ବି କେନ୍ଦ୍ରକୁ ନିଶାନା କରିଛି । ଅନ୍ୟପକ୍ଷରେ ବିଜେପି ଏଭଳି ପ୍ରକ୍ରିୟାକୁ ସ୍ୱାଭାବିକ ବୋଲି କହିଛି ।

୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ରତାକୁ ସମାପ୍ତ କରିଥିଲେ । ଏଥିସହିତ ଏହାର ଭୌଗଳିକ ସ୍ଥିତିକୁ ପରିବର୍ତ୍ତନ କରିବା ସହ ଲଦାଖ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଏହାଦ୍ୱାରା ଭାରତ ସହ ଏହାର ମିଶ୍ରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲା । ତେବେ ଅନ୍ୟ ରାଜ୍ୟଙ୍କ ଭଳି ଏଠାରେ ସମାନ ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ଲାଗି କେନ୍ଦ୍ର ସରକାର ଗୋଟିକ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।