‘ମୋତେ ନ୍ୟାୟ ଦରକାର’ : ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ସରକାରୀ ଯୋଜନାରେ ଜାଗା ଓ ଘର ଦାବି କରି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ମୋତେ ନ୍ୟାୟ ଦରକାର

ଘର ପାଇଁ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପୁଣିଥରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସରକାରୀ ଯୋଜନାରେ ଜାଗା ଓ ଘର ପାଇବା ପାଇଁ ଗୁହାରୀ କରି ଆସୁଥିବା ସତ୍ତ୍ୱେ କେହି ଶୁଣୁ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ନିଜକୁ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ଭାବେ ଦାବି କରୁଥିବା ଏହି ମହିଳା ଜଣଙ୍କ ପୂର୍ବରୁ ଫେବୃୟାରୀ ୯ ତାରିଖରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ପଡିଶା ଘର ଲୋକମାନେ ମଧ୍ୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଆଜି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଢେଙ୍କାନାଳ ଟାଉନ ଥାନା ପୋଲିସ୍ ମହିଳାଙ୍କୁ କାବୁ କରିଥିଲେ ।

ମହିଳା ଜଣକ କହିଛନ୍ତି, ମୋତେ ନ୍ୟାୟ ଦରକାର । ନହେଲେ ନିଜ ଜୀବନ ନେଇଯିବି । ତିନି ମାସ ତଳେ ଫେବୃଆରୀ ୮ରେ ଏଠାକୁ ଆସିଥିଲି ।  ସେତେବେଳେ ବି ଅଭିଯୋଗ କରିଥିଲି । ମୋ କଥା କେହି ଶୁଣିଲେନି । ମୋର ପିଲା ଦୁଇଟି ଅଛନ୍ତି, ହେଲେ ପଡ଼ିଶା ଘର ଲୋକ ସବୁବେଳେ ମୋ ସହ କଳି ଝଗଡ଼ା କରୁଛନ୍ତି । ମୁଁ ମୁର୍ଖ, ମୁଁ ଚାହୁଁଛି ମୋ ପିଲା ପାଠ ପଢ଼ନ୍ତୁ । ବାପାମା’ ମୋତେ ଉତ୍ତର ପ୍ରଦେଶରେ ବିକ୍ରି କରିଦେଇଥିଲେ । ଶାଶୂଘର ଲୋକ ପିଟାମରା କରିବା ପରେ ପୁରି ଫେରିଆସିଲି । ଏବେ ମୋତେ ସାହାଯ୍ୟ ନକଲେ ମୁଁ କୁଆଡ଼େ ଯିବି ।