ମଣିଷ ଉପରୁ ବିଶ୍ୱାସ ତୁଟୁଛି, ଶିକାରୀ ଭୟରେ ଆସୁନାହାନ୍ତି କାଜଚକୁଆ

ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ

ହଜିଗଲାଣି କାଜ ଚକୁଆଙ୍କ ପ୍ରେମ କାହାଣୀ

ଦୂର ଦିଗବଳୟରେ ଢେଉଢେଉକା ପାହାଡ଼ । ଅସ୍ତ ସୂର୍ଯ୍ୟ ହସି ହସି ଯାଉଥିବା ବେଳେ ସୁନ୍ଦର ଦିଶୁଛି ବ୍ରାହ୍ମଣୀ ନଦୀ । ଢେଙ୍କାନାଳ ସହରର ଏଦୃଶ୍ୟ ଅତି ମନଲୋଭର । ଏହି ସହର ବିଦେଶୀ ପକ୍ଷୀ ମାନଙ୍କ ପାଇଁ ପ୍ରେମର ସହର, ବିଶ୍ୱାସର ଭୂସ୍ୱର୍ଗ । ସେଇଥି ପାଇଁ ତ ଶୀତ ଆସିଲେ ସାତ ଦରିଆ ତେର ନଈ ପାର ହୋଇ ଏଇ ରଙ୍ଗୀନ୍ ପକ୍ଷୀ ସବୁ ଉଡ଼ି ଆସନ୍ତି ବଣ ପାହାଡ଼ ଘେରା ଢେଙ୍କାନାଳକୁ । ଯେଉଁଠି ବହିଯାଉଛି ବିଶ୍ୱାସ ଓ ଭଲପାଇବାର ବ୍ରାହ୍ମଣୀ ନଦୀ । ଆଉ ତାରି ପାଣିରେ ପହଁରୁ ଥାଆନ୍ତି ଦୁଇ ପ୍ରେମ ପକ୍ଷୀ । ଗୋଟିଏ କାଜ ଆଉ ଗୋଟିଏ ଚକୁଆ । ଦୁହିଁଙ୍କୁ ଯୋଡ଼ିଦେଲେ ଲେଖା ହୁଏ କାଜ ଚକୁଆଙ୍କ ପ୍ରେମ କାହାଣୀ ।

ବ୍ରାହ୍ମଣୀ ନଦୀରେ ଏବେ ଜୋରସୋରରେ ଚାଲିଛି କାଜ ଚକୁଆଙ୍କ ପ୍ରେମ । ଏଗୁଡ଼ିକ ଉତ୍ତରଆଫ୍ରିକା, ଇରାନ,ତୁର୍କି ଓ ମଧ୍ୟ ଏସିଆରେ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । ଶୀତ ଋତୁ ଆସିଲେ ସେମାନେ ଅତିଥି ହୋଇ କାହିଁକେତେ ଦୂରରୁ ଉଡ଼ି ଆସନ୍ତି । ଭାରତରେ ଏମାନଙ୍କୁ ବ୍ରାହ୍ମୀଣୀ ବତକ ବୋଲି କୁହାଯାଏ। ଓଡ଼ିଶାରେ ଏମାନେ କାଜ ଚକୁଆ ନାଁରେ ବେଶ୍ ପରିଚିତ ।

କୁହାଯାଏ ଏ ପକ୍ଷୀ କାଳେ ସପରିବାର ଆସନ୍ତି । ସେମାନଙ୍କ ଭିତରେ ମୁଖିଆ ବି ଅଛନ୍ତି । ଗୋଟିଏ ଯୋଡ଼ା କାଜ ଚକୁଆ ସେମାନଙ୍କ ମେଳିର ମୁଖିଆ । ସିଏ ସତର୍କତାର ସହ ଜଗି ବସି ଥାଆନ୍ତି । ଟିକିଏ ବିପଦ ଆଶଙ୍କା ହେଲେ ଫୁର୍ କି ଉଡି ଯାଆନ୍ତି । ସବୁ ପକ୍ଷୀ ଯୋଡ଼ି ଯୋଡ଼ି ହୋଇ ପହଁରୁ ଥାଆନ୍ତି ଆଉ ଉଡ଼ି ବୁଲୁଥାଆନ୍ତି । ଶୀତ ସକାଳ ଓ ଶୀତ ସଞ୍ଜରେ ଓଡ଼ିଶା ମାଟି ପାଣି ପବନକୁ ଉପଭୋଗ କରୁଥାଆନ୍ତି।

ଶୀତ ସରି ସରି ଆସିଲେ ଏମାନେ ବାହୁଡ଼ିଯାଆନ୍ତି ନିଜ ମାଟିକୁ । ହେଲେ ଏବେ ତ ଏମାନେ ସବୁଦିନ ପାଇଁ ଫେରିଯାଉଛନ୍ତି। ଆଉ ଏ ମାଟିକୁ ବିଶ୍ୱାସ କରୁ ନାହାନ୍ତି। ପ୍ରାୟ ୧୦ ବର୍ଷ ପୂର୍ବରୁ ଏହି ପକ୍ଷୀଗୁଡ଼ିକ ଶହଶହ ସଂଖ୍ୟାରେ ଏଠାକୁ ଆସୁଥିଲେ । ଶିକାରୀ ମାନଙ୍କର ଲୋଲୁପ ଦୃଷ୍ଟିର ଶିକାର ହୋଇ ବର୍ଷ ପରେ ବର୍ଷ ଏଇ ନିରିହ ପକ୍ଷୀ ମଣିଷ ଉପରୁ ବିଶ୍ୱାସ ତୁଟାଇ ଦେଉଛି । ଆମ ଭାରତୀୟ ପରମ୍ପରାରେ ଅତିଥିଙ୍କୁ ଯଥାମାନ୍ୟ ସମ୍ମାନ ଦିଆଯାଏ । ସ୍ନେହ ଶ୍ରଦ୍ଧା କରାଯାଏ । ବାହାର ଅତିଥିଙ୍କୁ ଦେବତୂଲ୍ୟ ଚର୍ଚ୍ଚା କରାଯାଏ । ହେଲେ ଆମ ଲୋକ ଏତେ ତଳକୁ ଖସିଗଲାଣି ଯେ, ଅତିଥିଙ୍କୁ ମାରି ଖାଇଯିବା ଭଳି ଘୃଣ୍ୟ ଅପରାଧ କରିବାକୁ ବି ପଛାଉ ନାହାନ୍ତି ।

ଢେଙ୍କାନାଳରୁ ରାଜଶ୍ରୀ ଶତପଥିଙ୍କ ରିପୋର୍ଟ