ଭାରତୀୟ ଆଥଲେଟଙ୍କ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବେ ଲକି ସାବ୍ୟସ୍ତ ହେବାରେ ଲାଗିଛି । ଆନ୍ତର୍ଜାତିକ ଜାଭ୍ଲିନ ପ୍ଲେୟାର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ଜିଣିବା ପରେ ଏବେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ବିଭିନ୍ନ କ୍ରୀଡା ବର୍ଗର ଆଥଲେଟ୍ମାନେ କଳିଙ୍ଗ ଷ୍ଟାଡିୟମକୁ ନିଜର ଦ୍ୱିତୀୟ ଘର ଭାବେ ବାଛିଲେଣି । ହକି, ଫୁଟବଲ ଏବଂ ଆଥଲେଟିକ୍ସ ପରେ ଦେଶର ବଡ଼ ବଡ଼ ସୁଇମର ଏବଂ ପୋଲୋ ପ୍ଲେୟାର ଏବେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଡେରା ପକାଇଲେଣି ।
Also Read
ସୂଚନା ଅନୁସାରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି । ଏଥିରେ ସେମାନଙ୍କୁ ବନି ସଟ୍, କର୍ଣ୍ଣର ସଟ୍, କାଉଁଣ୍ଟର ସଟ୍, ଡ୍ରିବିଲିଂ, ଡ୍ରାଏ ପାସ୍, ଲବ ସଟ୍, ୱେଟ୍ ସଟ୍ ଆଦି କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଟୋକିଅ ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ବିଜେତା ସର୍ବିଆ ଓ୍ୱାଟର ପୋଲୋର ୨ଜଣ କୋଚ୍ ଏହି ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ପ୍ରଶିକ୍ଷଣ ଶିବିରରେ ୨୫ଜଣ ଓ୍ୱାଟର ପୋଲୋ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି ।
୨୦୨୨ରେ ହେବାକୁ ଥିବା FINA ବିଶ୍ୱ ସନ୍ତରଣ ପ୍ରତିଯୋଗିତା, ଏସୀୟ କ୍ରୀଡା, ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ସନ୍ତରଣକାରୀମାନେ ଯେପରି ମେଡାଲ ଜିଣିବେ, ସେଥିପାଇଁ ଭୁବନେଶ୍ୱରକୁ ଭାରତୀୟ ସନ୍ତରଣ ମହାସଂଘ ଦ୍ୱିତୀୟ ପ୍ରଶିକ୍ଷଣ ସ୍ଥାନ ଭାବେ ବାଛି ନେଇଛି । କେବଳ ଓ୍ୱାଟର ପୋଲୋ ନୁହେଁ ଏଠାରେ ଉଭୟ ଜୁନିୟର, ସିନିୟର ମହିଳା ଓ ପୁରୁଷଙ୍କ ସନ୍ତରଣ ପ୍ରଶିକ୍ଷଣ ମଧ୍ୟ ଚାଲିଛି ।
ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ