ନିଜ ନାମରେ ନାହିଁ ଜମି ପଟ୍ଟା, ସରକାରୀ ଯୋଜନାରୁ ବଞ୍ଚିତ ବଲାଙ୍ଗିଆ ଗ୍ରାମବାସୀ

ମୁଲଲାଗି ପେଟ ପୋଷୁଥିବା ଏହି ଲୋକମାନେ ଦୀର୍ଘ ଦଶନ୍ଧି ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏମାନଙ୍କୁ ଭୋଟ ପରିଚୟ ପତ୍ର ମିଳିଛି । ଯାହାଫଳରେ ଏମାନେ ଭୋଟ ଦେଇପାରୁଛନ୍ତି ।

ଜମି ପଟ୍ଟା ନଥିବାରୁ ଏମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଆବାସଗୃହ, ପାଇଖାନା ଭଳି ଆନେକ ଯୋଜନାରୁ ବଂଚିତ ହୋଇଛନ୍ତି

ବସୁନ୍ଧରା ଯୋଜନାରେ ଭୂମିହୀନମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାଲାଗି ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ଦୀର୍ଘ ଦଶନ୍ଧି ଧରି ପାହାଡ ପର୍ବତ ଘେରା ଅଂଚଳରେ ରହୁଥିବା ଭୁମିହୀନ ଆଦିବାସୀ ମାନଙ୍କୁ ଜମିପଟ୍ଟା ଯୋଗଇ ଦେବାରେ ସରକାର ବିଫଳ ହୋଇଛନ୍ତି । ନିଜ ନାମରେ ଜମି ପଟ୍ଟା ନଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଥିବା ବେଳେ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ଏନେଇ ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପଶ୍ଚିମାଂଚଳ କୁହାଯାଉଥିବା ଚକ୍ରଧରପୁର ପଂଚାୟତ ବଲାଙ୍ଗିଆ ଗ୍ରାମରେ ।

ବଲାଙ୍ଗିଆ ଗ୍ରାମକୁ ଯିବା ପାଇଁ ଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଗାଁ ମୁଣ୍ଡରେ ୨୦୦୭ ମସିହାରେ ଏକ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯାଇଛି । ପହାଡ ପର୍ବତ ଘେରା ଏହି ଗ୍ରାମରେ ପାଖାପାଖି ୭୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ମୁଲଲାଗି ପେଟ ପୋଷୁଥିବା ଏହି ଲୋକମାନେ ଦୀର୍ଘ ଦଶନ୍ଧି ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏମାନଙ୍କୁ ଭୋଟ ପରିଚୟ ପତ୍ର ମିଳିଛି । ଯାହାଫଳରେ ଏମାନେ ଭୋଟ ଦେଇପାରୁଛନ୍ତି । ହେଲେ ଜମିପଟ୍ଟା ନଥିବାରୁ ଏମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପାଇବାରୁ ବଂଚିତ ହେଉଛନ୍ତି । ବସୁନ୍ଧରା ଯୋଜନାରେ ସରକାର ଭୁମିହୀନମାନଙ୍କୁ ଜମିପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ହେଁ ବଲାଙ୍ଗିଆ ଗ୍ରାମବାସୀ ଏହି ଯୋଜନାରୁ ବଂଚିତ ହୋଇଛନ୍ତି ।

ଜମି ଖଣ୍ଡିଏ ପାଇବା ପାଇଁ ବିଭିନ୍ନ ଫୋରମ ମାଧ୍ୟମରେ ଏମାନେ ସ୍ଥାନୀୟ ଜନପ୍ରତିନିଧି, ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରୀ କରି ବିଫଳ ହୋଇଛନ୍ତି । ଜମି ପଟ୍ଟା ନଥିବାରୁ ଏମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଆବାସଗୃହ, ପାଇଖାନା ଭଳି ଆନେକ ଯୋଜନାରୁ ବଂଚିତ ହୋଇଛନ୍ତି । ସେହିପରି ଜମି ପଟ୍ଟା ନଥିବାରୁ ଏମାନଙ୍କ ପିଲ୍ଲାମାନେ ରେସିଡେଂଟ ଓ ବିଭିନ୍ନ ପ୍ରକାର ପ୍ରମାଣପତ୍ର ପାଇବାରୁ ବଂଚିତ ହେବା ଫଳରେ ଉଚ୍ଚ ଶିକ୍ଷାଲାଭ କରିବାରୁ ବଂଚିତ ହେଉଛନ୍ତି । ଏବେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଗାଁ କୁ ଆସି ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରବର୍ତାଉଛନ୍ତି ଏବଂ ମାଳମାଳ ପ୍ରତିସୃତି ଦେଉଛନ୍ତି । ହେଲେ ଭୋଟ ସରିବା ପରେ କହାର ଦେଖାମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗମନାଗମନ ଠାରୁ ଆରମ୍ଭ କରି ସବୁପ୍ରକାର ମୌଳିକ ସୁବିଧାରୁ ଏମାନେ ବଂଚିତ ହେଉଥିବା ବେଳେ ଏଠାରେ ପାଣି ହେଉଛି ମୁଖ୍ୟ ସମସ୍ୟା । ଗାଁରେ ୨ ଗୋଟି ନଳକୂପ ରହିଥିବା ବେଳେ ଗୋଟିଏ ଅଚଳ ହୋଇପଡିରହିଛି । ଅନ୍ୟଟିରେ ଗୋଳିଆ ପାଣି ବାହାରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି କିଛି ଦିନ ହେଲା ଏଠାରେ ଏକ ବୋରିଂ କରାଯାଇ କିଛି ସ୍ଥାନକୁ ପାଣି ଦିଆଯାଉଛି । ହେଲେ ଅନେକ ସମୟରେ ଏଠାରେ ବିଜୁଳି ରହୁନଥିବାରୁ ଏହି ପାଣି ପାଇବାରୁ ସେମାନେ ବଂଚିତ ହେଉଛନ୍ତି ।

ପାଣି ପାଇଁ ଗ୍ରାମବାସୀମାନେ ନିକଟସ୍ଥ ବିଲରେଥିବା ଏକ ଚୁଆ ଉପରେ ନିର୍ଭର କରିଥାନ୍ତି । ଏଠାରେ ଗାଧୋଇବା ସହିତ ଏଠାରୁ ପାଣି ସଂଗ୍ରହ କରି ଘରକୁ ନେଇଥାନ୍ତି । ଅପରିଷ୍କାର ପାଣି ବ୍ୟବହାର କରିବା ଫଳରେ ଏମାନେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇଥାନ୍ତି । ଏସମ୍ପର୍କରେ ଆମେ ଧର୍ମଶାଳା ବିଡିଓଙ୍କ ସହିତ ଯୋଗାଯୋଗ କରିଥିôଲା ବେଳେ ନିର୍ବାଚନ ଆଚରଣ ବିଧି ଚାଲିଥିବାରୁ ପରବର୍ତୀ ସମୟରେ ଏସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି । ତେବେ କେବଳ ଭୋଟ ପାଇଁ ଏହି ନିରିହ ଆଦିବାସୀମାନଙ୍କୁ ବ୍ୟବହାର କରାଯାଉଥିବା ବେଳେ ଏମାନଙ୍କର ମୌଳିକ ସିବିଧା ପ୍ରତି ସରକାର କେବେ ଧ୍ୟାନ ଦେଉଛନ୍ତି ତାହା ଆଗକୁ ଜଣାପଡିବ ।

ଯାଜପୁରରୁ ଗୁଲାମ ଗସ୍‌ଙ୍କ ରିପୋର୍ଟ