ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ : ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରମୁଖ ସାରଥୀ

ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ ରାଜା ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ ଇତ୍ୟାଦି ରହିଛି।

ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରମୁଖ ସାରଥୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତି

ଓଡ଼ିଶା ଇତିହାସର ଆଉ ଜଣେ ପ୍ରଜ୍ଞା ପୁରୁଷ ହେଉଛନ୍ତି ପାରଳାଖେମୁଣ୍ଡିର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ । ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ଏହି ମହାନାୟକଙ୍କ ଜନ୍ମ। ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଔରସରୁ ଜନ୍ମିତ କୃଷ୍ଣଚନ୍ଦ୍ର ମାଡ୍ରାସରେ ଶିକ୍ଷାଲାଭ କରିଥିଲେ ଏବଂ ୧୯୧୩ ମସିହାରେ ଶାସନ ଭାର ଗ୍ରହଣ କରିଥିଲେ। କୃଷ୍ଣଚନ୍ଦ୍ର ଗଜପତି ଥିଲେ ବେଶ ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ।

ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ, ମାଡ୍ରାସ ଜଷ୍ଟିସ୍ ପାର୍ଟିର ଜଣେ ସଦସ୍ୟ ଭାବେ ବେଶ ସଫଳତାର ସହ କାର୍ଯ୍ୟ କରିବା, ୧୯୨୭ରେ ରୟାଲ ଏଗ୍ରିକଲ୍‌ଚର୍‌ କମିଶନର ସଦସ୍ୟ ଓ ମାଡ୍ରାସ୍‌ ଲେଜିସ୍‌ଲେଟିଭ୍‌ ପାର୍ଟିର ସଦସ୍ୟ ଭାବେ କାର୍ଯ୍ୟ କରିବା ପ୍ରମୁଖ ଅନ୍ୟତମ।

ତାଙ୍କର ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ୧୯୩୦-୩୧ରେ ଲଣ୍ଡନରେ ଆୟୋଜିତ ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସେହିପରି ୧୯୩୪ରେ ଓଡ଼ିଶା ସହ ପାରଳାଖେମୁଣ୍ଡିର ମିଶ୍ରଣ ପାଇଁ ସେ ଯୁଗ୍ମ ସଂସଦୀୟ କମିଟି ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ତାଙ୍କର ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୯୩୬ ମସିହାରେ ସରକାର ତାଙ୍କୁ ମହାରାଜ ଉପାଧି ପ୍ରଦାନ କରିଥିଲେ। ତେବେ ୧୯୪୧ ମସିହା ନଭେମ୍ବରରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ମହାରାଜ ଆମନ୍ତ୍ରଣ ପାଇଥିଲେ ଏବଂ ମୁଖ୍ୟମନ୍ତ୍ରିତ୍ୱ ଭାର ମଧ୍ୟ ଗ୍ରହଣ କରିଥିଲେ।

କୃଷ୍ଣଚନ୍ଦ୍ର ଗଜପତି ଥିଲେ ରୟାଲ୍‌ ସୋସାଇଟ ଅଫ୍ ଆର୍ଟସ ଏବଂ ରୟାଲ୍ ଏସଆଟିକ୍ ସୋସାଇଟ୍ ଅଫ୍ ଲଣ୍ଡନର ଆଜୀବନ ସଦସ୍ୟ। ସେହିପରି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ମଧ୍ୟ ଆଜୀବନ ସଦସ୍ୟ ଥିଲେ। ଓଡ଼ିଶାର ଏହି ବରପୁତ୍ର ୧୯୭୪ ମସିହା ମଇ ମାସ ୨୫ ତାରିଖରେ ତାଙ୍କର କର୍ମମୟ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣି ଇହଧାମ ପରିତ୍ୟାଗ କଲେ।