ପୋଖରୀ କୂଳରେ ଖେଳ ହେଲା କାଳ : ମାଟି ଅତଡା ଖସି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା

ଜୀବନ ନେଲା ମାଟି ଅତଡ଼ା

କାଳ ହେଲା ବାଲି ଖେଳ । ଖେଳୁ ଖେଳୁ ଜୀବନ ଚାଲିଗଲା । କେନ୍ଦ୍ରାପଡ଼ା ମାଗୁରା ଗଣ୍ଡପାଟଣା ଗାଁରେ ଅଭାବନୀୟ ଘଟଣା । ପୋଖରୀ କୂଳର ମାଟି ଅତଡ଼ା ଧସି ୨ ନାବାଳକ ମୃତ୍ୟୁ ହୋଇଛି । ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ବୋଲି ସୂଚନା ମିଳିଛି ।

ମାଗୁରା ଗଣ୍ଡପାଟଣା ଗାଁରେ ପୋଖରୀ ଖୋଳା କାମ ସରିଥିବା ବେଳେ ସେଠାରେ ମାଟି ଓ ବାଲି ଗଦା ହୋଇଛି । ଗତକାଲି ମଧ୍ୟାହ୍ନ ସମୟରେ ୪ ଜଣ ନାବାଳକ ମାଛ ଧରିବାକୁ ସେଠାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମାଛ ଧରୁଥିବା ବେଳେ ଆଉ ଦୁଇ ଜଣ ବାଲି ଆଡ଼େଇ ଆଡ଼େଇ ଖେଳୁଥିଲେ। ଏହା ମଧ୍ୟରେ ସେମାନେ ବାଲି ଭିତରକୁ ପଶି ପଶି ଯାଇଥିବା ବେଳେ ଆଉ ବାହାରି ପାରି ନ ଥିଲେ । ଅନ୍ୟ ୨ ନାବାଳକ ବି ଏହା ଜାଣି ନ ପାରି ଘରକୁ ପଳାଇଥିଲେ ।

ପିଲାଦ୍ୱୟ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ । ଖବର ପାଇ ରାତିରେ ଉକ୍ତ ପୋଖରୀ ପାଖକୁ ଯାଇ ବାଲି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।