Advertisment

କଲୋନୀ ଭିତରେ ଦିଶୁନି ଶିଶୁପାଳଗଡ଼! ପ୍ରାଚୀନ ଐତିହ୍ୟ ହେଲାଣି ସଙ୍କୁଚିତ, ମାଫିଆଙ୍କ କବଜାରେ ଏକର ଏକର ଜମି

ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...

The Agony Of Ancient Citadel Of Sisupalgarh Near Bhubaneswar

The Agony Of Ancient Citadel Of Sisupalgarh Near Bhubaneswar

Advertisment

ଶିଶୁପାଳ ଗଡ଼ କେଉଁଠି ? କେତେ ଏକର ଜାଗାରେ ରହିଛି ଏହି ପ୍ରାଚୀନ ଐତିହ୍ୟ। ଏ ପ୍ରଶ୍ନର ଉତ୍ତର କେହି ଦେଇ ପାରୁ ନାହାଁନ୍ତି। କାରଣ ପରିଚୟ ହରାଇବାକୁ ବସିଲାଣି ଶିଶୁପାଳ ଗଡ଼। ଭୁବନେଶ୍ୱର ସହର ନିକଟ ଲିଙ୍ଗିପୁର ପଂଚାୟତରେ ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ ରହିଥିଲେ ବି ଏଠାରେ ଗଢ଼ି ଉଠିଛି କଲୋନୀ।

Advertisment

୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ମୋଟ୍ ୫୬୨.୬୮୧ ଏକର ଶିଶୁପାଳ ଗଡ଼ ଐତିହ୍ୟସ୍ଥଳୀ ଏବେ ମାତ୍ର ୭୭୫ ଡିସିମିଲ ବା ଏକରରୁ କମ ହୋଇଗଲାଣି। ଗଡ଼ର ଇତିହାସ ଓ ବର୍ତ୍ତମାନର ଭୌଗୋଳିକ ସ୍ଥିତି ଦେଖିଲେ ଯେ କେହି ବି ହତବାକ୍ ହୋଇଯିବ। ଅଧା ଭଙ୍ଗା ମାଙ୍କଡ଼ା ପଥର ସ୍ତମ୍ଭକୁ ଛାଡ଼ି ଦେଲେ ଗଡ଼ର ପ୍ରମାଣ ସବୁ ଅନାବନା ଘାସ ଓ ଜଙ୍ଗଲୀ ଗୁଳ୍ମ ଭିତରେ ଲୁଚି ଯାଇଛି। ଏପରିକି ଏହା ଦିନେ କଳିଂଗର ପୁରୁଣା ରାଜଧାନୀ ଥିଲା, ତାହା ଜାଣିବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡିଛି।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଶିଶୁପାଳ ଗଡ଼ରେ ଲାଗିଥିବା ଫଳକଟି ମାଟିରେ ମିଶିଯାଇଛି। କେହି ଦୁର୍ବୃତ୍ତ ଏହାକୁ ଭାଙ୍ଗି ଦେଇଥିବା କୁହାଯାଉଛି। ଏବେ ଶିଶୁପାଳ ଗଡ଼ର ଚାରିପଟ ଜମିକୁ ବେଆଇନ କିଣାବିକା କରି କେତେକ ଘର ଗଢିସାରିଲେଣି। ଏତେ ସବୁ ପରେବି ଚୁପ୍ ହୋଇ ବସିଛନ୍ତି ରାଜ୍ୟ ସରକାର।

Advertisment

ଶିଶୁପାଳ ଗଡ଼ ଜମି କିଣାବିକା, ପଟ୍ଟା ପାଉତି ଓ ଘର ନକ୍ସା ମଞ୍ଜୁର ପଛରେ ରହିଛି ପ୍ରଶାସନର ସଂପୃକ୍ତି। ସବୁ ବେଆଇନ ସତ୍ୱେ ବିଦ୍ୟୁତ ଓ ପାଣି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଏବେ ଆସିଛି ଖୁସି ଖବର। ଜବରଦଖଲ ବିରୋଧରେ ଏଏସଆଇ ଦାଏର କରିଥିବା ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହେଲେ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଜାତୀୟ କଳା, ସଂସ୍କୃତି ଓ ଐତିହ୍ୟ ନିଧି ବା ଇନଟାକ୍।

୧୯୪୮ ମସିହାରେ ଶିଶୁପାଳଗଡ ଅଞ୍ଚଳ ଖନନ କରି ମାଟି ତଳେ ଲୁଚି ଯାଇଥିବା ଭାରତର ପ୍ରାୟ ୨୦୦୦ ବର୍ଷ ପୁରୁଣା ସହରକୁ ଠାବ କରିଥିଲା ଏସଏସଆଇ। ଏହା ପରେ ୧୯୫୦ ନଭେମ୍ବର ୧୩ରେ ତତ୍କାଳୀନ ଏଏସଆଇ ମୁଖ୍ୟ ବିବି ଲାଲଙ୍କ ଉଦ୍ୟମରେ ଏହାକୁ ପୁରାତନ ଐତିହ୍ୟର ମାନ୍ୟତା ମିଳିଥିଲା। ପୁଣି ଥରେ ୨୦୦୫ ମସିହାରେ ଖନନ କରାଯାଇ କଳିଙ୍ଗର ଏହି ପୁରୁଣା ସହରର ନକ୍ସା ଲୋକ ଲୋଚନକୁ ଆସିଥିଲା। ବର୍ତ୍ତମାନର ଗଙ୍ଗୁଆ ନାଳ ଭାବେ ପରିଚିତ ଗନ୍ଧବତୀ ନଦୀ କୂଳରେ ଗଢ଼ି ଉଠିଥିବା ଏହି ଚତୁର୍ଭୂଜାକାର ସହରର ୮ଟି ଦ୍ୱାରଦେଶ ଥିଲା।

Advertisment

ପ୍ରଥମେ କଳିଙ୍ଗ ନଗର ନାମ ଏହି ପ୍ରାଚୀନ ସହର ପରିଚିତ ଥିଲା। ସମ୍ରାଟ ଅଶୋକଙ୍କ ସମୟରେ ତୋଷାଳୀ ନଗର ହେଲା। କିନ୍ତୁ ସମୟ କ୍ରମେ ଶିଶୁପାଳ ରାଜାଙ୍କ ନାମରେ ଏହା ଶିଶପାଳଗଡ଼ ଭାବେ ନାମିତ ହେଲା। ଏଠାରେ ଥିବା ୧୬ ସ୍ତମ୍ଭ ଶିଶୁପାଳଗଡ଼ ଐତିହ୍ୟର ମୂକସାକ୍ଷୀ। ମାଟି ତଳେ ଏମିତି ଆହୁରି କିଛି ସ୍ତମ୍ଭ ପୋତି ହୋଇ ରହିଥିବା କୁହାଯାଉଛି। ଖନନ ବନ୍ଦ ଥିବାରୁ ସେସବୁ ଲୋକଲୋଚନକୁ ଆସିପାରୁ ନାହିଁ। କେବଳ କାନ୍ଥିକୁ ଛାଡ଼ି ଦେଲେ ଗଡ଼ର ଆଉ କିଛି ନାହିଁ ବୋଲି କହୁଛନ୍ତି ସ୍ଥାନୀୟ ଅଧିବାସୀ।

ରାଜ୍ୟ ପ୍ରଶାସନ ଜବରଦଖଲ ଉଚ୍ଛେଦ କଲା ପରେ ପ୍ରାୟ ୮୧ ଲକ୍ଷ ଟଙ୍କାରେ ଗଡ଼କୁ ପାଚେରୀ ଆବଦ୍ଧ କରାଯିବ ବୋଲି କୋର୍ଟରେ ଜବାବ୍ ରଖିଛି ଏଏସଆଇ। କିନ୍ତୁ ହଡ଼ପ ହୋଇଥିବା ଶିଶୁପାଳ ଗଡ଼ ଜମିକୁ ଜବରଦଖଲ ମୁକ୍ତ କେବେ କରିବେ ସରକାର, ସେଦିନକୁ ଅପେକ୍ଷା।

ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଅନନ୍ତ ବାସୁଦେବଙ୍କ ସହ ସ୍ୱାତୀ ଜେନାଙ୍କ ରିପୋର୍ଟ

Sisupalgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ