ଛାଡ଼ିଲେ ବନ୍ଧୁକ, ପଡ଼ିଲା ହାତଗଣ୍ଠି : ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ କ୍ୟାଡର ମାଓବାଦୀ

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ।

ପୋଲିସ ନିକଟରେ ଆତ୍ମସମର୍ପଣ ପରେ ଏକାଠି ଗଢ଼ିଲେ ସଂସାର

ବନ୍ଧୁକ ଛାଡ଼ିଲେ, ପଡ଼ିଲା ଗଣ୍ଠି । ଟେଣ୍ଟ ଲାଗିଛି , ଚୌକି ସଜା ହୋଇଛି , ବ୍ୟାନରରେ ବରକନ୍ୟାଙ୍କ ଫଟୋ ଲାଗିଛି । ରିଜର୍ଭ ପୋଲିସ ପଡିଆ ବାହାଘର ମଂଚ ଭଳି ଲାଗୁଛି । ଆତ୍ମସମର୍ପଣ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଦୁଇ ମାଓବାଦୀ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ କଲମ ଦେଇ ଓ ରାମଦାସ । ଏହି ବିବାହ ଉତ୍ସବକୁ ବଡ ପୋଲିସ ଅଧିକାରୀମାନଙ୍କ ନାଲିବତୀ ଗାଡିର ଲମ୍ବା ଧାଡ଼ି ଲାଗିଛି ।

କଲମ ଦେଇ ଓ ରାମଦାସଙ୍କ ବିବାହ ଉତ୍ସବ, କୌଣସି ସାଧାରଣ ବାହାଘର ନୁହେଁ । ଆତ୍ମସମର୍ପଣ କରି ଚର୍ଚ୍ଚାରେ ରହିଥିବା ଦୁଇ ନକ୍ସଲଙ୍କ ବିବାହ ହେଉଛି । ସମୟ ଥିଲା ଦିନେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲ ମଧ୍ୟରେ ରାତି ଦିନ ବୁଲୁଥିଲେ। ନକ୍ସଲ ଚିନ୍ତାଧାରା ନେଇ ଜୀବନକୁ ବାଜି ଲଗାଇ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲେ । ଯେଉଁଠି ପୋଲିସ ସହ ଦେଖା ହୁଏ ସେଇଠି ଆଖିବୁଜା ଗୁଳି ଚାଳନା ବି କରୁଥିଲେ । 

୨୦୧୯ ମସିହାରେ କଳାହାଣ୍ଡି ଜିଲ୍ଲାର କଲମ ଦେଇ ନାମକ ଜଣେ ନକ୍ସଲ କ୍ୟାଡର ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ବେଳେ ସେହି ବର୍ଷ ରାମ ଦାସ ନାମକ ଜଣେ ଛତିଶଗଡ କ୍ୟାଡର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଶେଷରେ ଆଜି ତାଙ୍କର ହାତ ଗଣ୍ଠି ପଡିଛି । ଏହି ବିବାହ ଉତ୍ସବରେ ଡିଆଇଜି ରାଜେଶ ପଣ୍ଡିତଙ୍କ ସମେତ କଳାହାଣ୍ଡି ଏସପି ଶ୍ରବଣ ବିବେକ ଏମ କମାଣ୍ଡାଣ୍ଟ ବିପ୍ଳବ ସରକାର ଓ ଜିଲ୍ଲାର ସବୁ ଥାନାର ଆଇଆଇସି ଓ ପୋଲିସ୍ ଅଧିକାରୀମାନେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

କଳାହାଣ୍ଡିରୁ ରାଜକୁମାରଙ୍କ ରିପୋର୍ଟ