Advertisment

ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ ।

Supreme Court directs Bar Council of India

Lawyers

Advertisment

ପ୍ରଥମେ ଶୁଣାଇଲେ କଡ଼ା ଚେତାବନୀ । ନମାନିବାରୁ ଶେଷରେ ଏବେ କଡ଼ା ଆଭିମୁଖ୍ୟ । ଭିନ୍ନ ଭିନ୍ନ ପ୍ରସଙ୍ଗ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟର ଓକିଲ ମାନଙ୍କ ବିରୋଧେରେ ଚରମ ନିଷ୍ପତ୍ତି ନେଇ ଲାଇସେନ୍ସ ସସ୍‌ପେଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଦେଶର ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ନ୍ୟାୟିକ ଅଧିକାରୀ ଓ ମହକିଲ ମାନଙ୍କୁ ବି ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । 

Advertisment

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ । ନ୍ୟାୟ ପାଇଁ ବହୁ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । କିନ୍ତୁ ଆଇନଜୀବୀ ମାନଙ୍କ ଆନ୍ଦୋଳନ ଯୋଗୁଁ ବହୁ ଲୋକ ନିରାଶ ହେଉଛନ୍ତି । ତେଣୁ ଆଉ ବରଦାସ୍ତ କରାଯାଇପାରିବନି । ଯାହା ବି ଆଇନଗତ ଅସ୍ତ୍ର ଅଛି, ସେସବୁକୁ ପ୍ରୟୋଗ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ଦୋଳନକୁ ରୋକାଯାଉ ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୟ କିଶାନ କାଉଲ୍ ଏବଂ ଜଷ୍ଟିସ ଅଭୟ ଏସ୍.ଓକା। 

ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା । ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଆସୁଛନ୍ତି ସ୍ଥାନୀୟ ଓକିଲ ସଂଘ । ମୁଖ୍ୟତଃ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ହେଉଛି । ଏଭଳି ଆନ୍ଦୋଳନ ଭିତରେ ବଡ଼ମ୍ବା, ଟାଙ୍ଗୀ, ତାଳଚେର ଓ ପାଲଲହଡ଼ା ଓକିଲ ସଂଘ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଜିଦ୍‌ରେ ଅଟଳ ଥିଲା ।

Advertisment

ମାସର ଶେଷ ୩ କାର୍ଯ୍ୟଦିବସରେ ଆନ୍ଦୋଳନ କରିଥିବା ସମ୍ବଲପୁର ଓକିଲ ସଂଘ ଗତ ୨ ମାସ ହେବ ପ୍ରତି ବୁଧବାର ଆନ୍ଦୋଳନ କରୁଥିଲା । ଓକିଲ ଆନ୍ଦୋଳନର ଏହି ଧାରା ଭିତରେ କଟକରୁ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ସହ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ବି ପ୍ରତି ମାସ ଶେଷ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ କୁହାଯାଉଛି, କାଲି ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ । ସେପଟେ ହାଇକୋର୍ଟ ଓକିଲ ସଂଘ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି । 

ରାଜ୍ୟବ୍ୟାପି ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର୍ । ମାମଲାକୁ ଗୁରୁତ୍ୱର ସହ ବିଚାର କରି ଗତ ୧୧ ତାରିଖରେ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ସମେତ ରାଜ୍ୟର ସବୁ ଓକିଲ ସଂଘକୁ ୧୪ରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ କରିଥିଲେ ସୁପ୍ରିମକୋର୍ଟ । ନଭେମ୍ବର ୧୪ରେ ପୁଣି ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଲାଇସେନ୍ସ ବାତିଲ୍‌ର ଚେତାବନୀ ଶୁଣାଇଥିଲେ । ଆଜି ଆଉ ଚେତାବନୀ ନୁହେଁ, ବରଂ ଲାଇସେନ୍ସ ସସ୍‌ପେଣ୍ଡ କରିବାକୁ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୨ ତାରିଖରେ ହେବ ।

Advertisment
Supreme Court Bar Council Of India Lawyers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ