Parents Seek Help
ଖଟରେ ଶୋଇଛି ଭେଣ୍ଡିଆ ପୁଅ, ଥାଳିରେ ଭାତ, ଡାଲି ଗୋଳେଇ ଖୁଆଇ ଦେଉଛି ମାଆ । ଏହା ଆଜିର କି କାଲିର ଦୃଶ୍ୟ ନୁହେଁ ବରଂ ୨୦ ବର୍ଷ ହେଲାଣି ଖଟରେ ଶୋଇଛି ଭେଣ୍ଡିଆ ପୁଅ । ଆଉ ପୁଅର ଏମିତି ସେବା କରି ଚାଲିଛି ମାଆ । ପୁଅର କଷ୍ଟ ସେ ଆଉ ଦେଖିପାରୁନି କି ସହିପାରୁନି, ହେଲେ ଉପାୟ କିଛି ନାହିଁ । ସବୁ ଭାଗ୍ୟ ଉପରେ ଛାଡି ଦେଇ ପୁଅର ସେବା କରିଚାଲୁଛି ମାଆ ।
ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା । ବିନା ସାହାରାରେ ପାଦେ ଚାଲିବା ପୁଅ ପକ୍ଷରରେ ଅସମ୍ଭବ। ସେଇଥି ପାଇଁ ତ ଦିନରାତିକୁ ଏକ କରି ଭେଣ୍ଡିଆ ପୁଅର ସେବା କରିଚାଲିଛନ୍ତି ବାପା-ମାଆ।
ଏମିତି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ପର୍ଜଙ୍ଗ ବସୁଲେଇ ଗାଁରେ। ପୁଅ ଜନ୍ମ ହେବା ପରେ ଅତି ଶ୍ରଦ୍ଧାରେ ବାପା-ମାଆ ନାଁ ଦେଇଥିଲେ ଗୋବିନ୍ଦ। ହେଲେ ଆଜକୁ ୨୦ ବର୍ଷ ହେଲା ଦୈବ ୟାଙ୍କ ଭାଗ୍ୟରେ ଯେଉଁ ଦୁଃଖ ଲଦି ଦେଇଛି, ତାହାକୁ ନେଇ ଏବେ କାନ୍ଦି କାନ୍ଦି ଦିନ କାଟୁଛନ୍ତି ଗଙ୍ଗାଧର ଆଉ ପ୍ରେମଲତା । ପୁଅକୁ ନେଇ ସବୁ ବାପା-ମାଆଙ୍କ ପରି ଏମାନେ କେତେ କଣ ସ୍ୱପ୍ନ ଦେଖିଥିଲେ। ହେଲେ ସ୍ନପ୍ନ ସବୁ ଚୁରମାର ହୋଇଗଲା। ୨୦ ବର୍ଷ ତଳେ ଶଗଡ ଗାଡିରେ ଧାନ ଆଣୁ ଆଣୁ ଏମିତି ଦୁର୍ଘଟଣା ହେଲା ଯେ, ସେହି ଦିନରୁ ବିଛଣାରେ ଶୋଇଛନ୍ତି ଗୋବିନ୍ଦ ଯେ ଆଉ ଉଠିବାର ନା ଧରୁନାହାନ୍ତି ।
ଦୁର୍ଘଟଣା ପରେ ଗୋବିନ୍ଦଙ୍କୁ ତାଳଚେରଠୁ ଅନୁଗୁଳ ଯାଏଁ ସବୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯଥା ସମ୍ଭବ ଚିକିତ୍ସା ବି କରାଯାଇଥିଲା ହେଲେ କିଛି ହେଲାନି । ସବୁଦିନ ପାଇଁ ବିଛଣାରେ ପଡିରହିଲେ ଗୋବିନ୍ଦ । ପୁଅର ଚିକିତ୍ସା ପାଇଁ ଘର ବାଡ଼ି ସବୁ ବିକ୍ରି କରିଛନ୍ତି, ରୋଜଗାର କମ୍ ଥିବାରୁ ନିଇତି ଭାତ ଗଣ୍ଡେ ଖାଇବା କଷ୍ଟ ହୋଇପଡିଲାଣି । ପୁଅର ଚିକିତ୍ସା ପାଇଁ ଅଣ୍ଟିରେ ଧନ ବି ନାହିଁ । ସରକାରଙ୍କ ପକ୍ଷରୁ BSKY କାର୍ଡ ଖଣ୍ଡିଏ ମିଳିଛି, ହେଲେ ପୁଅକୁ ମେଡିକାଲରେ ଭର୍ତ୍ତି କଲେ ତା ସହ ଯାଇଥିବା ଅନ୍ୟ ସଦସ୍ୟମାନେ କଣ ଖାଇବେ ସେଇ ଚିନ୍ତାରେ ଏବେ ଦିନ କାଟୁଛନ୍ତି ପରିବାର ଲୋକ।
ଗୋବିନ୍ଦଙ୍କ ଅସହାୟ ନେଇ ସ୍ଥାନୀୟ ଲୋକ ଓ ସରପଞ୍ଚଙ୍କୁ ଭେଟି ଗୁହାରି ଜଣାଇଛନ୍ତି ବାପା-ମାଆ । ସେପଟେ ଏ ସମ୍ପର୍କରେ କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ କହିଛନ୍ତି, ବିଡିଓଙ୍କୁ ଘଟଣା ସମ୍ପର୍କରେ ତଦନ୍ତ କରି ସବୁ ପ୍ରକାର ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯିବ ।
ଜୀବନ ସହ ୨୦ ବର୍ଷ ଧରି ସଂଗ୍ରାମ କରୁଥିବା ଶଯ୍ୟାଶାୟୀ ଗୋବିନ୍ଦ ଆଜି ବଞ୍ଚିବା ପାଇଁ ରାହା ଖୋଜୁଛି । ଦୁଃଖିନୀ ମାଆଟି ସରକାରଙ୍କୁ ହାତ ପାତି ପୁଅର ଜୀବନ ଭିକ୍ଷା କରୁଛି। ପୁଣି ନୂଆ ଏକ ସୁନେଲି ଜୀବନକୁ ଅପେକ୍ଷା କରିଛନ୍ତି ଗୋବିନ୍ଦ ।
ତେବେ ଆପଣ ଯଦି ଗୋବିନ୍ଦଙ୍କୁ ସାହାଯ୍ୟର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ..
Name-Gangadhar Jena
A/C No- 051134006004443
IFS Code- IOBA0ROGB01
Branch- Paramhansapur
Phone Pay -9556813923
ମୋବାଇଲ ନମ୍ବର-୯୫୫୬୮୧୩୯୨୩
(ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669452144.jpg)