Advertisment

ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

ଅଦ୍ୟତନ ହୋଇଛି
people celebrate last Nuakhai

people celebrate last Nuakhai

Advertisment

କିଏ ଘର ଲିପା ପୋଛା କଲାଣି ତ ଆଉ କିଏ ଚଉରା ମୂଳକୁ ଘସି ଘସି ସଫା କଲାଣି । ପୁଣି କିଏ ଘରର ଡବା ସହ ଅନ୍ୟାନ୍ୟ ଜିନିଷକୁ ଧୋଇ ସଫା କଲାଣି । ସମସ୍ତେ ସଫା ସଫିରେ ବ୍ୟସ୍ତ । ଖାଲି ଏତିକି ନୁହେଁ ବରଂ ଗାଁ ଠାକୁରାଣୀ ପୀଠରୁ ଗାଁ ମନ୍ଦିର ପର୍ଯ୍ୟନ୍ତ ସବୁଠି ଚାଲିଛି ଧୁଆପଖାଳା କାମ । ମହିଳାଙ୍କଠୁ ପିଲା, ବଡଠୁ ବୁଢା ସମସ୍ତେ ଘର ସଫାରେ ବ୍ୟସ୍ତ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଚାଲୁଛି ପ୍ରସ୍ତୁତି ।

Advertisment

ଏଭଳି ଦୃଶ୍ୟ ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି । ଖାଲି ଏ ବର୍ଷ ନୁହେଁ ବରଂ ପ୍ରତିବର୍ଷ ନୂଆଖାଇ ଆସିଲେ ଏମିତି ଆରମ୍ଭ ହୋଇଯାଏ ଧୁଆପଖଳା କାମ । କିନ୍ତୁ ଯେତେବେଳେ ଏ ଗାଁର ଲୋକ ଜାଣିସାରିଛନ୍ତି କି ଏସନ ନୂଆଖାଇ ଏ ଗାଁରେ ଏମାନଙ୍କର ଶେଷ ନୂଆଖାଇ ବୋଲି, ସେମାନଙ୍କ ମନ ମାନୁନି କି ମନ ବୁଝୁନି । ସେଇ ପୁରୁଣା ସ୍ମୃତିକୁ ମନେ ପକାଇ ବୁଢୀ ମାଉସୀ ଜଣକ ବି କଣ କହିବ ସେ ନିଜେ ବି ଜାଣିପାରୁନି । ନୂଆଖାଇ କଥା କହିଲା ବେଳକୁ ପାଟି ଖନି ମାରିଦେଉଛି ।

ଦିନେ ନୂଆଖାଇ ପାଇଁ ଯେଉଁଠି କୋଳାହଳ ହେଉଥିଲା ଆଜି ସେଇଠି ଖେଳିଗଲାଣି ଶୂନ୍ୟ ନିରବତା । କାରଣ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଏମାନଙ୍କ ପାଇଁ ଯେଉଁ ଦୁଃଖ ଆଣିଛି ତାହାକୁ କହିବା ପାଇଁ ଆମ ପାଖରେ ବୋଧହୁଏ ଶବ୍ଦର ଅଭାବ ହୋଇଯିବ । କିନ୍ତୁ ଏମାନମଙ୍କ ବେଦନାର ଅନ୍ତ ହେବନି । ଏହି ଅଂଚଳଟି ସଂପୂର୍ଣ୍ଣ ବୁଡି ଗାଁ ହେବା ପରେ ୯୦ ପ୍ରତିଶତ ଲୋକ ଗାଁ ଛାଡି ଚାଲି ଗଲେଣି ।  ଏବେ ଗାଁ ଚାରି ପଟେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ବି ଘେରି ଗଲାଣି । ଘର ଭିତରକୁ ବି ପାଣି ପଶିଗଲାଣି । ଆଉ ଏତିକି ବେଳେ ଆସି ପହଞ୍ଚିଛି ନୂଆଖାଇ।

Advertisment

ମନରେ ତ ଅନେକ ଦୁଃଖ ରହିଛି କିନ୍ତୁ ସବୁକୁ ପଛରେ ପକାଇ ନୂଆଖାଇବା ପାଇଁ ସଜବାଜ ହେଉଛନ୍ତି ଏହି ଗାଁ ଲୋକେ । ସେଥିପାଇଁ ତ ଏତେ ତରତର ହୋଇ ଚାଲିଛି ନୂଆଖାଇ ପ୍ରସ୍ତୁତି ପର୍ବ । ସମସ୍ତଙ୍କ ମନରେ ଗୋଟିଏ କଥା ଯେ, ଶହଶହ ବର୍ଷ ପୂର୍ବେ ଏଇ ଗାଁରେ ପୂର୍ବପୁରୁଷମାନେ ନୂଆ ଖାଉଥିଲେ, ଗୀତ ଗାଉଥିଲେ ଆଉ ନାଚରେ ବି ମସଗୁଲ ହେଉଥିଲେ । ହେଲେ ସମୟ ବଦଳିଛି, ସ୍ଥିତି ବି ବଦଳିଛି। ବାସ୍‌ ପରମ୍ପରାକୁ ବଜାୟ ରଖିବା ପାଇଁ ନୂଆଖାଇର ସିନା ପ୍ରସ୍ତୁତି ଚାଲିଛି । ହେଲେ ଗାଁ ଭାସିଯିବା ଦୁଃଖ କିନ୍ତୁ ମନରୁ ଭୁଲିହେଉନି। ସତରେ ଆଖି ସାମ୍ନାରେ ଯେବେ ପାଣିରେ ଲୀନ ହୋଇଯାଉଛି ପିଲାଦିନ ସହିତ ଅତୀତ, ତାହା ନିଶ୍ଚୟ କଷ୍ଟ ତ ଦେବ । କିନ୍ତୁ ଏମାନେ ପରମ୍ପରାକୁ ବଂଚାଇବା ପାଇଁ ଯେଉଁ ପରିଶ୍ରମ କରୁଛନ୍ତି, ତାହାକୁ ନେଇ ସେମାନଙ୍କୁ ସହେ ସଲାମ୍‌ ।

ରିପୋର୍ଟର- ନୂଆପଡାରୁ ମାୟାଧର ସରାଫ

Nuakhai Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ