ରାସ୍ତା ଦେଖିଲେ ସିମିଝିରି ଗାଁ ଲୋକେ : ଆଉ ପାହାଡ ଚଢି ଘରକୁ ଯିବାକୁ ପଡ଼ିବନି

ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର।

ଜଙ୍ଗଲ ରାସ୍ତା ଦେଇ ୨ କିଲୋମିଟର ଗଲେ ପଡେ ସିମିଝିରି ଗାଁ

ଜଙ୍ଗଲ ରାସ୍ତା ଦେଇ ୨ କିଲୋମିଟର ଗଲେ ପଡେ ସିମିଝିରି ଗାଁ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏହି ଛୋଟିଆ ଗାଁରେ ରହୁଛନ୍ତି ପ୍ରାୟ ୧୫୦ରୁ ଅଧିକ ଲୋକ । ୨୦୧୯ ମସିହା ଏପ୍ରିଲରେ ଆମେ ଯେତେବେଳେ ଏହି ଗାଁକୁ ଯାଇଥିଲୁ କୌଣସି ରାସ୍ତା ନଥିଲା । ଜଙ୍ଗଲ ପାହାଡ଼ ଡେଇଁ ଲୋକମାନେ ପାଦରେ ଚାଲି ଚାଲି ଗାଁକୁ ଯିବା ଆସିବା କରୁଥିଲେ। ଏବେ ସରକାର ଶୁଣିଛନ୍ତି ସେମାନଙ୍କ ଦୁଃଖ। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ସିମିଝିରି ଗାଁକୁ ରାସ୍ତା ନିର୍ମାଣ କରାଯାଇଛି।

ସ୍ଵାଧୀନତାର ଏତେ ବର୍ଷ ପରେ ଗାଁକୁ ଏବେ ଯିବା ଆସିବା କରି ପାରିବ ଅଟୋ ଏବଂ ଆମ୍ବୁଲାନ୍ସ। ପାହାଡ଼ ଜଙ୍ଗଲ ମଧ୍ୟରେ ଛୋଟ ବଡ଼ ଘାଟିକୁ କାଟି ରାସ୍ତା ତିଆରି କାମ ଆଗେଇ ଚାଲିଛି। ଯାହାକୁ ନେଇ ବେଶ ଖୁସି ସିମିଝିରି ଗାଁଲୋକେଷ । ଦଶନ୍ଧି ଦଶନ୍ଧି ଧରି ରାସ୍ତା ନିର୍ମାଣ ପାଇଁ ସିମିଝିରି ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ । ଶେଷରେ ସରକାର ସେମାନଙ୍କ ପାଇଁ ରାସ୍ତା ତିଆରି କରୁଛନ୍ତି। ଆଉ ମୌଳିକ ଅସୁବିଧା ରହିବ ନାହିଁ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।

ଫିରିଙ୍ଗିଆ ବ୍ଲକର ଅପହଂଚ ଇଲାକା ଥିବା ସିମିଝିରି ଗାଁର ରାସ୍ତା ସମସ୍ୟା ଦୂର ହୋଇଛି। ଆଗାମୀ ଦିନରେ ଗ୍ରାମବାସୀଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଫିରିଙ୍ଗିଆ ବିଡିଓ। ଆଜି ବି ରାଜ୍ୟରେ ସିମିଝିରି ଭଳି ଅନେକ ଗାଁ ରହିଛି। ଯେଉଁଠିକୁ ରାସ୍ତା ନଥିବାରୁ ବିକାଶ ଅଟକିଛି।

କନ୍ଧମାଳରୁ ତ୍ରିନାଥ ସାହୁଙ୍କ ରିପୋର୍ଟ