‘ଦୀପ ଆମ ଜୀବନ, ଦୀପ ଆମ ଜୀବିକା’ : ଦୀପାବଳି ପାଇଁ କୁମ୍ଭକାର ଉତ୍ସାହିତ

ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର।

ଶତାଧିକ ପରିବାର ମାଟି ଦୀପ ଭରସାରେ ଜୀବିକା ନିର୍ବାହ କରନ୍ତି

‘ଏ ଚକ ଯେତେ ଭଲ ଘୁରିବ ଆମ ସଂସାର ରଥ ସେତେ ଭଲ ଗଡ଼ିବ। ଦୀପ ଯେତେ ଭଲ ଗଢ଼ିହେବ ଆମ ଜୀବନଜୀବିକା ସେତେ ଉଜ୍ଜଳମୟ ହେବ । ଆମେ ଏଠି ମାଟିରେ ମାଟି ହୋଇ ଖଟିଲେ ହିଁ ଆମକୁ ଆନନ୍ଦ ମିଳେ । ଏ ଚକ କାହା ପାଇଁ କୁମ୍ଭାର ଚକ ହୋଇ ପାରେ, ହେଲେ ଆମ ପାଇଁ ଏହା ଆମ ଜୀବନ ଚକ୍ର । ଆଉ ଦିନ କେଇଟା ରହିଲା ଆଲୋକର ପର୍ବ ଦୀପାବଳି। ଆମକୁ ଏବେ ଜମା ଫୁରସତ ନାହିଁ। ଯେତେ ଅଧିକ ଦୀପ ଗଢ଼ି ପାରିବୁ ଆମ ପାଇଁ ସେତେ ଭଲ। ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ କୌଣସି ପୂଜା ପାର୍ବଣ ଧୁମଧାମରେ ପାଳନ ହୋଇ ପାରୁ ନ ଥିଲା । କିନ୍ତୁ ଏ ବର୍ଷ ସମସ୍ତେ ଆମେ ଆଶା ବାନ୍ଧି ବସିଛୁ । ବିଗତ ଦିନର ଅସୁବିଧା ଅନ୍ତତଃ ଏ ବର୍ଷ ଆସିବନି ବୋଲି ଭରସା କରିଛନ୍ତି । ଆମେ ଆମ ଦୁଃଖ ଧନ୍ଦା ସୁରୁଖୁରୁ ହୋଇଗଲେ ଆମ ତେଲଲୁଣ ସଂସାର ଟିକେ ସହଜ ହୋଇଯିବ… ସେଇଥି ପାଇଁ ଆମେ ଲାଗି ପଡ଼ିଛୁ। ଦୀପାବଳି ପାଇଁ ଦୀପ ଗଢ଼ୁଥିବା ଜଣେ ମହିଳା ଏଥର ଭଲ ବ୍ୟବସାୟ ପାଇଁ ଆଶା ବାନ୍ଧିଥିବା ବେଳେ ଏଭଳି କହିଛନ୍ତି ।

କଟକ ଜିଲ୍ଲା ସାଲେପୁର ବ୍ଲକ ମାଳ ଶାସନ ଗାଁ । ଏଇଠି ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ କୁମ୍ଭାର ପରିବାର ବାସ କରନ୍ତି। ଦିନ ରାତି ଏଠି ସବୁ ବେଳେ ମାଟି ସହ ମାଟି ହୋଇ ମାଟିରେ ତିଆରି ହୁଏ ଅନେକ ସାମଗ୍ରୀ । ହାଣ୍ଡି ମାଠିଆ ସୁରେଇ ଠାରୁ ଆରମ୍ଭ କରି ଦୀପ, ଦୀପଦାନି ଆହୁରି କେତେ କଣ ଘରକରଣା ସାମଗ୍ରୀ । କୁମ୍ଭରଶାଳର ଚକ୍ରି ବୁଲିଲେ ହିଁ କୁମ୍ଭକାର ପରିବାରର ଚୁଲିଜଲେ।

ଖାଲି ପୁରୁଷମାନେ ଯେ ଏ କାମ କରନ୍ତି ତା ନୁହେଁ, ବରଂ ଘରର ମହିଳା ମାନେ ମଧ୍ୟ, ହାଣ୍ଡିଶାଳ ସାଙ୍ଗକୁ ଏ କାମ ବି ସମ୍ଭାଳୁଛନ୍ତି। କହିବାକୁ କଲେ ସ ପରିବାର ମାଟି କାମରେ ନିଜକୁ ମଜେଇ ଦେଇଛନ୍ତି। ଦୀପାବଳି ପାଖେଇ ଆସୁଥିବା ବେଳେ ବେପାରୀ ଆଗୁଆ ଅଡର୍ ଦେଇ ସାରିଲେଣି। ସଅଳ ସଅଳ କାମ ସାରିଲେ ମାଲ୍ ଏଠୁ ଉଠିବ। ସେଇଥି ପାଇଁ ସମସ୍ତଙ୍କ ହାତ ଚଞ୍ଚଳ।

ଆମେ ଓଡ଼ିଆ, ଆମ ବୃତ୍ତି ବଢ଼ିଆ। ବାପ ଅଜା ଅମଳରୁ ଯେଉଁ କୂଳବୃତ୍ତି ରହି ଆସିଛି ତାକୁ ଆମେ ଭୁଲି ଯିବୁ କେମିତି । ଦୁନିଆ ଯେତେ ଆଧୁନିକ ଚାକଚକ୍ୟମୟ ହେଲେ ବି ମାଟି ଆମ ମୂଳ ପିଣ୍ଡ । ଏ ମାଟିର ବାସ୍ନା ଟିକେ ଅଲଗା । ଏ ବୃତ୍ତି ଟିକେ ନିଆରା। କେତେ ରୋଜଗାର ଦେବେ ଯେତେବଡ଼ କଥା ନୁହେଁ, ଆମ ପରିଚୟ ଆମ ସମ୍ମାନ ଆମ ପାଇଁ ସେତେ ବଡ଼ । ଆମ ଜୀବନ ଏ ଚକରେ ବନ୍ଧା… ୟାକୁ ଛାଡ଼ି ଆମ ଜୀବନର ମାନେ କିଛି ନାହିଁ ।

(ରିପୋର୍ଟ- ମନୋଜ ଆଚାର୍ଯ୍ୟ, ସାଲେପୁର)