Advertisment

ସାହାଯ୍ୟ ଅପେକ୍ଷାରେ ସମାଜସେବୀ ଦମ୍ପତି

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ.

Cancer-Stricken Couple

Cancer-Stricken Couple

Advertisment

ସ୍ୱାମୀ ଅସୁସ୍ଥ, ସ୍ତ୍ରୀ ବି ଅସୁସ୍ଥ । ଏତେ ରୋଗୀଣା ଥାଇ ବି ସାତ ଜନ୍ମର ସାଥୀକୁ ଦଣ୍ଡେ ଛାଡ଼ିପାରୁନି ହତଭାଗା ପତ୍ନୀ । ନିଜର କଷ୍ଟ ଏତେ ଯେ ଘଣ୍ଟାଏ ବସିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ହେଲେ ସ୍ୱାମୀର ସେବା କରିବା ପାଇଁ କିଛି ଟିକିଏ ବି ପଛଘୁଂଚା ଦେଉନାହାନ୍ତି । ବରଂ ଖଟ ଉପରେ ବସାଇ ଭାତ ଖୁଆଇ ଦେଉଛନ୍ତି, ପାଣି ପିଆଇ ଦେଉଛନ୍ତି । ପୁଣି ହାତଗୋଡ ଦରଜ ହେଉଥିବ ଭାବି ଘସି ବି ଦେଉଛନ୍ତି । ଆଉ ଆଖିରୁ ତାଙ୍କର ଗଡ଼ି ଯାଉଛି ଦୁଃଖର ଅଶ୍ରୁ ।

Advertisment

ଦିନେ ସେମାନେ ବୁଲି ବୁଲି ସମାଜର ସେବା କରୁଥିଲେ, ଅନେକ ଲୋକଙ୍କୁ ସାହାଯ୍ୟ ବି କରୁଥିଲେ । ହେଲେ ଏବେ ସମୟ ବଦଳିଯାଇଛି । ସେମାନଙ୍କ ଜୀବନରେ ଏବେ ଖେଳିଯାଇଛି ଦୁଃଖର କଳାବାଦଲ । କାରଣ ସ୍ୱାମୀ କିଡନୀ ରୋଗରେ ଆଉ ସ୍ତ୍ରୀ ଗ୍ଲାଣ୍ଡ କ୍ୟାନସର ରୋଗରେ ଶିକାର ହୋଇଛନ୍ତି । ସ୍ଥିତି ଏମିତି ଯେ ସ୍ୱାମୀ-ସ୍ତ୍ରୀ ଏବେ ଭିନ୍ନ ଭିନ୍ନ ମେଡିକାଲରେ ରହି ଚିକିତ୍ସା ବି ହେଉଛନ୍ତି । ଆଉ ବାପା-ମାଆଙ୍କ ଚିକିତ୍ସା ପାଇଁ ପ୍ରଶାସନ ପାଖରେ ପହଞ୍ଚି ସାହାଯ୍ୟ ମାଗୁଛି କୁନି ପୁଅ ମାତୃପ୍ରସାଦ ।

ଯାଜପୁର ଦାନଗଦୀ ବ୍ଲକ୍‌ ଖରଡାବନ୍ଦୀ ଗାଁର ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦୁହେଁ ଏବେ ରୋଗରେ ପଡ଼ିଛନ୍ତି । ଦେବୀପ୍ରସାଦଙ୍କର ଦୁଇଟି ଯାକ କିଡନୀ ଅର୍ଦ୍ଧାଧିକ ନଷ୍ଟ ହୋଇଗଲାଣି । ଯନ୍ତ୍ରଣା ଏତେ ପରିମାଣରେ ହେଉଛି ଯେ, କହିବା କଷ୍ଟକର । ସେହି ଦମ୍ପତ୍ତି ସମାଜସେବୀ ଭାବରେ ସ୍ଥାନୀୟ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ହେଲେ ଏବେ ନିଜେ ସାହାଯ୍ୟ ଅପେକ୍ଷାରେ ପଡ଼ିରହିଛନ୍ତି ।

Advertisment

ସ୍ଥିତି ଏମିତି ହେଲାଣି ଯେ, ଦୁହିଁଙ୍କର ଚିକିତ୍ସା ପାଇଁ ଘରଦ୍ୱାର ଜମିବାଡ଼ି ସବୁ ବିକ୍ରି କରିସାରିଲେଣି । ହେଲେ ଦୁହିଁଙ୍କର ଚିକିତ୍ସା ପାଇଁ ଯେତିକି ଟଙ୍କା ଦରକାର ସେତିକି ଯୋଗାଡ ହୋଇପାରିନି । ଯିଏ ଦିନେ ପୂରା ଅଂଚଳ ସାରା ବୁଲି ବୁଲି ସେବା କରୁଥିଲେ ଆଜି ସିଏ ନିଜେ ସେବା ଅପେକ୍ଷାରେ । ସେପଟେ ବାପାମାଆଙ୍କର ଏ ଅବସ୍ଥା ଦେଖି ସହିପାରୁନି କୁନି ପୁଅ । ସେଥିପାଇଁ ତ ଯେଉଁ ବୟସରେ ପାଠ ପଢିବା କଥା ସେଇ ବୟସରେ ପ୍ରଶାସନ ପାଖରେ ହାତଯୋଡି ମାଗୁଛି ସହାୟତା।

ସେପଟେ ସ୍ୱାମୀଙ୍କୁ କିଡନୀ ଦେବା ପାଇଁ ସ୍ତ୍ରୀ ଇତିଶ୍ରୀଙ୍କର ଇଚ୍ଛା ଥିଲେ ବି ନିଜ ରୋଗ ପାଇଁ ଦେଇପାରୁନାହାନ୍ତି କି ସ୍ୱାମୀଙ୍କ ଏ କଷ୍ଟ ବି ଦେଖିପାରୁନାହାନ୍ତି । ମୋଟ୍‌ ଉପରେ ଏବେ ସରକାରୀ ସହାୟତା ନମିଳିଲେ ଦୁହିଁଙ୍କ ଜୀବନ ପ୍ରତି ଘୋର ବିପଦ ମାଡ଼ି ଆସିବ ବୋଲି କୁହାଯାଉଛି । ଆଉ ବାପ-ମାଆଙ୍କ ପାଇଁ କୁନି ପୁଅର ଗୁହାରି ପ୍ରଶାସନ ପାଖରେ ପହଂଚିବା ପରେ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ ।

Advertisment

ସେପଟେ ନିଜର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଏହି ଦମ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ ବି କରିଛନ୍ତି । ତେବେ ଆପଣମାନେ ବି ଯଦି ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି ତେବେ ଏହି ଠିକଣାରେ ସାହାଯ୍ୟ କରନ୍ତୁ।

ମାର୍ଫତ୍-ଇତିଶ୍ରୀ ସାମଲ, ସା-ଖରଡାବନ୍ଦୀ, ପୋ-ନଛିପୁରା, ଥାନା-ଟମକା, ମୋବାଇଲ ନଂ-9938507394, ଓଡିଶା ଗ୍ରାମ୍ୟବ୍ୟାଙ୍କ ଏକାଉଣ୍ଟ ନଂ-406334006003273, IFSC code-IOBA0ROGB01

ରିପୋର୍ଟର- ଜନ୍ମେଜୟ ଦାସ

Special Story Cancer-stricken Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ