ବନ୍ୟାରେ ହନ୍ତସନ୍ତ! ଜରିପାଲ ଖଣ୍ତେ ପାଇଁ ଗୋଡ଼ ତଳେ ପଡ଼ୁଛନ୍ତି ବିପନ୍ନ

‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ ।

Man Begging

ଜରି ପାଲ ଖଣ୍ଡେ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ତଳେ ପଡ଼ି ନେହୁରା ହେଲେ ବନ୍ୟା ବିପନ୍ନ । ମହାନଦୀର ପ୍ରଳୟଙ୍କରୀ ବନ୍ୟା ଓ ଲଗାଣ ବର୍ଷାରେ ଖମ୍ବଶିରିପାଲି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିଛି । ହେଲେ ପ୍ରଶାସନ ପକ୍ଷରୁ ଖଣ୍ଡେ ପଲିଥିନ୍ ବି ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।

ଲୋକଙ୍କ ଅଭିଯୋଗ ଯେ, ବନ୍ୟା ସ୍ଥିତିରେ ତହସିଲଦାର ଖଣ୍ଡେ ପାଲ ବି ଦେଇ ନାହାନ୍ତି । ଲୋକଙ୍କ ଗୁହାରୀ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବୀରମହାରାଜପୁର ଜିଲ୍ଲା ପରିଷଦ ଜୋନ-୧ର ସଭ୍ୟ ଲବ କୁମାର ସାହୁଙ୍କ ସହ କେତେକ ରାଜନୈତିକ ଦଳର କର୍ମୀ ତହସିଲଦାରଙ୍କୁ ଗୋଡ଼ ତଳେ ପଡ଼ି ଗୁହାରି କରିଥିଲେ ।

 

ତହସିଲ ଅଫିସ୍ କର୍ମଚାରୀମାନେ ଖମ୍ବଶିରିପାଲି ଗାଁକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କ ତାଲିକା କରିଥିବା ତହସିଲଦାର କହିଛନ୍ତି । ଦରକାର ପଡ଼ିଲେ ଆଉଥରେ ଯିବେ ବୋଲି ମଧ୍ୟ କହିଛନ୍ତି । ତେବେ ସୋସିଆଲ୍ ମିଡିଆରେ ତହସିଲଦାରଙ୍କୁ ଅଭିନବ ଢଙ୍ଗରେ ପଲିଥିନ୍ ପାଇଁ ଗୁହାରି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।