ସହିପାରିଲେନି ଶ୍ୱଶୁର ଘରର ନିର୍ଯାତନା; ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।

ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ସାଧାରଣତଃ ଅନେକ ସ୍ଥାନରେ ଝିଅମାନେ ନିର୍ଯାତନା ପାଇଥାନ୍ତି । ଶାଶୁ ଘରେ ଝିଅମାନେ ନିର୍ଯାତନା ପାଉଥିବା ଖବର ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ହେଲେ କେବେ ଶୁଣିଛନ୍ତି କି ଜ୍ୱାଇଁକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିବାର ? ହଁ ଆଜ୍ଞା, ରାଉରକେଲାରୁ ଠିକ୍‌ ଏହିପରି ଏକ ଖବର ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ନିଜ ଶ୍ୱଶୁର ଘର ଲେକ ନିର୍ଯାତନା ଦେଉଥିବାରୁ ସହି ନପାରି ସେ ଆତ୍ମ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ,ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇଆସୁଥିଲେ । ଅସହ୍ୟ ହୋଇପଡିବାରୁ ଗତ ଗୁରୁବାର ଦିନ ୩ଟା ୩୦ରେ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ବିଷ୍ଣୁପୁର ଥାନାରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ତେବେ ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରିଥିଲେ । ଭିଡିଓରେ ଯୁବକ ଜଣକ ସମସ୍ତ ଘଟଣା ବିଷୟରେ କହିଛନ୍ତି । ଏବେ ଏହି ଭିଡିଓଟି ଖୁବ୍‌ ଭାଇରାଲ୍‌ ହେଉଛି ।

(ଆତ୍ମହତ୍ୟା ସମୟର ଦୃଶ୍ୟ)

ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ ମୋ ନାଁ ରାହୁଲ ଅଗ୍ରୱାଲ୍‌ । ମୁଁ ରାଉରକେଲାରେ ରୁହେ । ୨୦୧୨ ରେ ଜାମ୍‌ସେଦ୍‌ପୁର ଆସିୟାନା ଗାର୍ଡେନ୍‌ ନିବାସୀ ପ୍ରଦୀପ ଚୁଡିୱାଲାଙ୍କ ଝିଅ ବର୍ଷା ଚୁଡିୱାଲାଙ୍କ ସହ ମୋ ବାହାଘର ହୋଇଥିଲା । ମୋର ଶ୍ୱଶୁର ଘରଲୋକେ ଯୌତୁକ ନିର୍ଯାତନା ଅଭିଯୋଗରେ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହା ସମ୍ପୂର୍ଣ୍ଣ ମିଛ ଅଟେ । ଏହି ଭିଡିଓ ମାଧ୍ୟମରେ ମୁଁ ସ୍ପଷ୍ଟ କହିବାକୁ ଚାହୁଁଛି ଯେ, ମୋ ସହିତ କିଛି ହେଲେ ମୋ ଶ୍ୱଶୁର ଘରର ୩ ଜଣ ତଥା ମୋ ଶ୍ୱଶୁର ପ୍ରଦୀପ୍‌ ଚୁଡିୱାଲା, ଶାଶୁ କୁସୁମ ଚୁଡିୱାଲା ଓ ଶଳା ପିୟୁଷ୍‌ ଚୁଡିୱାଲା ଦାୟୀ ରହିବେ । ଏହି ୩ ଜଣ ମୋର ଏବଂ ମୋ ଛୁଆଙ୍କ ଜୀବନ ବରବାଦ କରିଦେଇଛନ୍ତି ।’

ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ, ରାହୁଲ ନିଜ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣାରେ ପୋଲସ ପ୍ରଦୀପ୍‌ ଚୁଡିୱାଲାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।