ପାଣି ଟୋପାଏ ପାଇଁ ଯାଉଥିଲେ ୪ କି.ମି., ଏବେ ପାହାଡ଼ ଛାତି ଚିରି ଆଣିଲେ ପାଣି...

ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।

ପାହାଡ଼ ଛାତି ଚିରି ଆଣିଲେ ପାଣି

ନିଜ ହାତ ଜଗନ୍ନାଥ। ମୁଣ୍ଡ ଖର୍ଚ୍ଚ କଲେ ଓ ସେଥିରେ ଯଦି ହାତ କମାଲ ଦେଖାଏ ସବୁ କିଛି ସମ୍ଭବପର ହୋଇପାରେ। ପାହାଡ଼ର ଛାତି ଚିରି ପାଣି ବି ପିଇ ହେବ। ଯେଉଁଠି ପାଣି ଟୋପାଏ ପାଇଁ ୩-୪ କିଲୋମିଟର ଯିବାକୁ ପଡୁଥିଲା, ସେହି ଗାଁ ମଝିରେ ପହଞ୍ଚିଛି ଏବେ ଝରଣା ପାଣି। କିନ୍ତୁ ନା କୌଣସି ପାଣି ପମ୍ପ ଲାଗିଛି, ନା କୌଣସି ସୁଉଚ୍ଚ ପାଣି ଟାଙ୍କି ଅଛି। ଗାଁ ଲୋକଙ୍କ ନିଜସ୍ୱ ଉଦ୍ୟମ ବଳରେ ଗାଁକୁ ବହି ଆସିଛି ଝରଣା ପାଣି। 

କଥାରେ ଅଛି, ‘Every Moment Is A Fresh Beginning’, ଅର୍ଥାତ୍‌- ପ୍ରତ୍ୟେକ ମୁହୂର୍ତ୍ତ ଏକ ନୂଆ ଆରମ୍ଭ। ମୋଟାମୋଟି ଭାବେ କହିଲେ-ସମସ୍ୟାକୁ ଧରି ବସିଲେ ହେବନି, ଚେଷ୍ଟା କଲ ହୁଏତ ଯେକୌଣସି ମୁହୂର୍ତ୍ତରେ ସମାଧାନ ବାହାରିପାରେ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ପେଡ଼ିପଦର ଗାଁ ଲୋକେ ଏପରି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି।

ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି। ସେହି ପାଣିରେ ପିଇବା, ଖାଇବା, ରୋଷେଇ, ଗାଧୋଇବା ଏପରିକି ଜମିକୁ ଜଳସେଚନ ବି ହେଉଛି।

ଏହି ଗାଁ ନିକଟରେ ଥିବା ଶଗଡ଼ବସା ଓ ଆକାଶ ନଗରରେ ମଧ୍ୟ ଏମିତି ପାଣି ସମସ୍ୟା ଥିଲା। ଏହି ଦୁଇ ଗାଁର ଲୋକେ ମଧ୍ୟ ନିଜ ବୁଦ୍ଧି ଖଟାଇ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ଗାଁକୁ ଆଣିଛନ୍ତି। ଗାଁ ମଝିରେ ଏକ ଟାଙ୍କି ଅଛି। ସେହି ଟାଙ୍କିରେ ପଡୁଛି ଝରଣାର ପାଣି। ଏହି ଟାଙ୍କିର ପାଣିକୁ ଗାଁର ସବୁ ଲୋକ ବ୍ୟବହାର କରୁଛନ୍ତି। ଏବେ ନିଜ ଖର୍ଚ୍ଚରେ ବାଉଁଶ ବଦଳରେ ପିଭିସି ବା ପ୍ଲାଷ୍ଟିକ ପାଇପ୍ ବିଛାଇଛନ୍ତି। ସେଥିରେ ଗାଁକୁ ବହି ଆସୁଛି ଝରଣା ପାଣି।

ଗୌଡ଼ଗୋଠ ପଞ୍ଚାୟତର ପେଡ଼ିପଦର, ଶଗଡ଼ବସା ଓ ଆକାଶ ନଗରରେ ପ୍ରାୟ ୧୦୦ ଆଦିବାସୀ ପରିବାର ରହୁଛନ୍ତି। ଆଗରୁ ପାଣି ପାଇଁ ୨-୩ କିଲୋମିଟର ଯିବାକୁ ପଡୁଛନ୍ତି। ଏଥିପାଇଁ କିଛି ଲୋକ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ପଳାଇଛନ୍ତି। କିନ୍ତୁ ଯେଉଁମାନେ ରହିଲେ, ପ୍ରଶାସନ ହାତଟେକା ସାହାଯ୍ୟକୁ ଅପେକ୍ଷା ନ କରି ସେମାନେ ନିଜ ଉଦ୍ୟମ ବଳରେ ପାଣି ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିଛନ୍ତି।