Monalisa's hand in making more than 20 Divyanga’s self-sufficient
ସଫଳତାର ମନ୍ତ୍ର କାହା ପାଇଁ କ’ଣ ହୋଇପାରେ କିନ୍ତୁ ଇଛାଶକ୍ତି ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇପାରେ। ଲଗାତର ପ୍ରୟାସ ସଫଳତାର ବାଟ ଦେଖାଇଥାଏ। ସୁଯୋଗର ହାତଛଡା ନକରି, ତା’ର ସଦୁପଯୋଗ କରି ଜଣେ ଆଗକୁ ବଢିପାରେ ଏବଂ ଅନ୍ୟମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟିକରିପାରେ। ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।
ପାଠପଢା ବୟସରେ ଆଦିବାସୀ ଅଂଚଳର ଦୁର୍ବଳଶ୍ରେଣୀର ପିଲାଙ୍କ ପାଇଁ ଚିନ୍ତା ପ୍ରକଟ କରନ୍ତି ମୋନାଲିସା ଘୋଷ୍। ଶିକ୍ଷାର ଅଭାବ ଏବଂ ଦାରିଦ୍ର୍ୟର ତାଡନା ଭିତରେ ଗତି କରୁଥିବା ପିଲାମାନଙ୍କୁ କିଭଳି ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିହେବ, ସେନେଇ ତାଙ୍କ ମନ ଭିତରେ ଯେମିତି ଆନ୍ଦୋଳନ ସୃଷ୍ଟିହୁଏ। ଶିକ୍ଷା ମାଧ୍ୟମରେ କିଭଳି ଭାବେ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟିକରି ହେବ, ସେନେଇ ସ୍କୁଲ୍ ଏବଂ କଲେଜ କ୍ୟାରିୟରରେ ସେ ଅନେକ କିଛି କାମ କରିବାକୁ ଲାଗନ୍ତି।
ମାତ୍ର ୧୮ ବର୍ଷ ବୟସରେ ମୋନାଲିସା ବିବାହ କରିଥିଲେ। ମା ବି ହୋଇଯାଇଥିଲେ। ପାରିବାରିକ ଜଞ୍ଜାଳ ଭିତରେ ତାଙ୍କୁ କିଛି ବର୍ଷ ସଂଘର୍ଷ କରିବାକୁ ପଡିଥିଲା। କିନ୍ତୁ ଅଧିକ ଜ୍ଞାନ ଆହରଣ କରିବାର ନିଶା ତାଙ୍କୁ ସବୁବେଳେ ଯେମିତି ଆଗକୁ ବଢିବାର ରାସ୍ତା ଦେଖାଉଥିଲା। ତା’ସହିତ ବାପା ଓ ମା’ଙ୍କ ପ୍ରେରଣା ତାଙ୍କ କ୍ୟାରିୟରକୁ ଅଧିକ ମଜବୁତ କରିଥିଲା।
ନିଜର ଆଗ୍ରହ ଓ କାର୍ଯ୍ୟଦକ୍ଷତା ବଳରେ ଧୀରେ ଧୀରେ ଅନେକଗୁଡିଏ ସଂଗଠନ ସହିତ ଯୋଡି ହୋଇଯାଆନ୍ତି ମୋନାଲିସା। ଆଦିବାସୀ ସମ୍ପ୍ରଦାୟ, ଗ୍ରାମୀଣ ବିକାଶ, ମହିଳାଙ୍କ ଶିକ୍ଷା ଏବଂ ସଶକ୍ତୀକରଣ ଉପରେ ଅଧିକ ଜ୍ଞାନ ଆହରଣ ପରେ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ କାମ କରିବାକୁ ଲାଗନ୍ତି ମୋନାଲିସା।
ଏହା ପରେ ଗ୍ରାମୀଣ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଦୁଇପାଦ ଆଗକୁ ବଢନ୍ତି ମୋନାଲିସା। ସ୍ୱଛ ଭାରତ ଅଭିଯାନରେ ସାମିଲ ହେବା ପରେ ସେ ଦେଶର ବିଭିନ୍ନ ସ୍ଥାନ ଭ୍ରମଣକରନ୍ତି ଆଉ ସାନିଟାଇଜେସନ୍ ଏବଂ ପାଇଖାନାର ବ୍ୟବହାର ଉପରେ ଲୋକଙ୍କୁ ସଚେତନ ମଧ୍ୟ କରନ୍ତି। କିନ୍ତୁ ଏହି କାର୍ଯ୍ୟ କରିବା ସମୟରେ ଅନେକ ତିକ୍ତ ଅନୁଭୂତି ମଧ୍ୟ ତାଙ୍କର ରହିଛି।
ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍ମେଣ୍ଟର ଜଣେ ସଦସ୍ୟ ହେବା ପରେ ସଂସ୍ଥାର ବିଭିନ୍ନ ଉନ୍ନୟନମୂଳକ କାମରେ ନିଜକୁ ସାମିଲ କରନ୍ତି ମୋନାଲିସା। ଫଳରେ ତାଙ୍କ କାର୍ଯ୍ୟ ଦକ୍ଷତାର ପରିସର ବୃଦ୍ଧିପାଏ। ଗରିବ ଓ ଆଦିବାସୀ ପିଲାଙ୍କ ଉନ୍ନତି ପାଇଁ ଦିନେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତା’ର ବାସ୍ତବ ରୂପାୟନ ଏହିଠାରେ ହିଁ ସମ୍ଭବ ହୋଇପାରିଛି।
Gram Tarang Employability Training Services Ptv.ltd (GTET)ରୁ ପ୍ରଶିକ୍ଷଣ ପାଇ ଆଜି ସ୍ୱବଲମ୍ବୀ ହୋଇପାରିଛନ୍ତି ଅନେକ ମହିଳା ଓ ପୁରୁଷ। ତା’ ମଧ୍ୟରେ ଯେଉଁ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ଦିନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏଥି ସହିତ ଦାରିଦ୍ର୍ୟ ଭିତରେ ଗତି କରୁଥିବା ଅନେକ ପରିବାର ସଜାଡି ହୋଇପାରିଛି। ଏସବୁ ସମ୍ଭବ ହୋଇପାରିଛି ମୋନାଲିସାଙ୍କ କୁଶଳୀ ନେତୃତ୍ୱ ଏବଂ ସେଞ୍ଚୁରିଆନ୍ ୟୁନିଭର୍ସିଟିର ସହଯୋଗ ଯୋଗୁ।
ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମୋନାଲିସା। ତାଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ସେ ଅନେକଙ୍କ ପାଇଁ ପ୍ରେରଣା ବନିପାରିଛନ୍ତି। ଯଦି ପ୍ରତ୍ୟେକ ନାରୀ ନିଜ ଭିତରେ ଥିବା ପ୍ରତିଭାକୁ ବିକଶିତ କରନ୍ତି, ଅନ୍ୟମାନଙ୍କ ଜୀବନଧାରଣରେ ପରିବର୍ତ୍ତନ ଆଣିପାରନ୍ତି, ତେବେ ସେମାନେ ବି ବନିପାରିବେ ପ୍ରେରଣା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651329035.jpg)