ରାଜ୍ୟର ଉପାନ୍ତ ଓ ଆଦିବାସୀ ଇଲାକାରେ କେତେ ଫଳପ୍ରଦ ହେଉଛି ମୋବାଇଲ୍ ଏଟିଏମ୍ ସେବା ? କୋଟି କୋଟି ଟଙ୍କା ବ୍ୟୟରେ ଏ ସୁବିଧାରୁ କେତେ ଉପକୃତ ହେଉଛନ୍ତି ଉପଭୋକ୍ତା ସତ ଜାଣିଲେ ଆପଣଙ୍କ ମୁଣ୍ଡ ଘୂରେଇ ଯିବ କେମିତି ଏ ବାବଦରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି, ସେକଥା ଖୋଦ୍ ଆକାଉଣ୍ଟାଣ୍ଟ ଜେନେରାଲ ପଦାକୁ ଆଣିବା ପରେ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ପରଖିଛି ଓଟିଭି ।
ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପଛ ଗ୍ୟାରେଜରେ ଖତ ଖାଉଛି ମୋବାଇଲ୍ ଏଟିଏମ୍ । ସେମିତି କରଞ୍ଜିଆ ବ୍ରାଞ୍ଚରେ ବି ସମାନ ଅବସ୍ଥା ଗାଡ଼ି କିଣା ହେଲାଦିନୁ ଗଡ଼ିଛି କି ନା କାହାପାଖେ ଉତ୍ତର ନାହିଁ ଭ୍ୟାନ୍ ଅବସ୍ଥା ଏମିତି ହେଲାଣି ଦିନ କେଇଟା ପରେ ହୁଏତ କବାଡ଼ି ଖାନାକୁ ଯାଇପାରେ ଗାଁ ଗହଳି, ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ହାତ ପାଆନ୍ତାରେ ବ୍ୟାଙ୍କ ସେବା ଯୋଗାଇବା ଲକ୍ଷ୍ୟରେ ଲକ୍ଷ ଲକ୍ଷ ଟଙ୍କାରେ । ଏମିତି ଗାଡ଼ି କିଣା ଯାଇଥିଲା, ହେଲେ ସୁଫଳ ଆପଣଙ୍କ ସାମ୍ନାରେ ତଥ୍ୟ କହୁଛି । ଗୋଟିଏ ଗୋଟିଏ ଭ୍ୟାନ୍ କିଣା ବାବାଦକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ କେଉଁଠି ଡ୍ରାଇଭର ଅଭାବ ତ କେଉଁଠି ନେଟଓ୍ୱର୍କ ସମସ୍ୟାରୁ ୨୦୧୬ରୁ ଅଧିକାଂଶ ସ୍ଥାନରେ ଗାଡ଼ି ଖତ ଖାଉଛି ସବୁଠି ବ୍ୟାଙ୍କ ସମ୍ପାଦକ, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଛନ୍ତି, ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ୨୦୧୪ରେ ରାଜ୍ୟରେ ମୋବାଇଲ ଏଟିଏମ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ୧୦ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୨୦ ବ୍ଲକରେ ଏହା ଦ୍ୱାରା ଜମାଖାତା ଖୋଲିବାଠୁ ଟଙ୍କା ଉଠାଣ, ନଗଦ ଟଙ୍କା ଜମା ଓ ଋଣ ପ୍ରଦାନ ଆଦି ସେବା ସୁବିଧା ଯୋଗାଇବାର ଲକ୍ଷ୍ୟ ଥିଲା ଓଡ଼ିଶା । ସମବାୟ ବ୍ୟାଙ୍କ ତରଫରୁ ଏଥିପାଇଁ ଖର୍ଚ୍ଚ ହୋଇଥିଲା ୬ କୋଟି ୫୬ ଲକ୍ଷ ଟଙ୍କା ଏଥିସହ ୨୦୧୬ରୁ ୨୦୨୦ ଭିତରେ ଏସବୁ ଭ୍ରାମ୍ୟମାଣ ଏଟିଏମ ମରାମତି ପାଇଁ ଖର୍ଚ୍ଚ ହୋଇଛି ୨କୋଟି ୧୩ ଲକ୍ଷ ଟଙ୍କା ।
ହେଲେ ଆଶ୍ଚର୍ଯ୍ୟର କଥା ୨୦୧୫ରୁ ୨୦୨୧ ଭିତରେ ୨୦ଟି ଏଟିଏମ୍ରୁ ଉଠିଛି ମାତ୍ର ୧୮ କୋଟି ଟଙ୍କା, ଯାହା ମଧ୍ୟରୁ ଫନି ବାତ୍ୟା ପରେ ମାସକରେ ଉଠିଛି ୧୧ କୋଟି ୬୩ ଲକ୍ଷ ଆହୁରି ପରିତାପର ବିଷୟ ମୟୂରଭଞ୍ଜ, ଅନୁଗୁଳ ଓ ସୁନ୍ଦରଗଡ଼ରେ ଆଦୌ ଟଙ୍କା ଉଠିନି ତେଣୁ ସେସବୁ ସ୍ଥାନରେ କୋଟିଏ ୭୬ ଲକ୍ଷ ଟଙ୍କା ସିଧା ପାଣିରେ ପଡ଼ିଥିବା ଦର୍ଶାଇଛନ୍ତି । ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଏଣେ ହିତାଧିକାରୀଙ୍କ ଅଭିଯୋଗ ସରକାରଙ୍କ ପରିଚାଳନାଗତ ତ୍ରୁଟିରୁ ଏଭଳି ଅବସ୍ଥା ତେଣେ ସମବାୟ ମନ୍ତ୍ରୀଙ୍କ ଉତ୍ତର-ଏଜି ପ୍ରତି ବର୍ଷ ଏମିତି ରିପୋର୍ଟ ଦେଉଛନ୍ତି, ତର୍ଜମା ଷ୍ଟାଣ୍ଡିଂ କମିଟି କରୁଛି ।