‘ଓଡ଼ିଶାରେ ନାହିଁ ବିଦ୍ୟୁତ୍‌ କାଟ୍‌ ଭଳି ସ୍ଥିତି’

ଅନ୍ୟ ରାଜ୍ୟ ପରି ଓଡ଼ିଶାରେ କୋଇଲା ସଙ୍କଟ ନାହିଁ ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଇଲା ସଙ୍କଟ ନାହିଁ- ମୁଖ୍ୟ ସଚିବ

ରାଜ୍ୟରେ କୋଇଲା ସଙ୍କଟ ନାହିଁ । କୋଇଲା ଓ ଶକ୍ତି ସଂକଟ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏପରି ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ତୁଳନାତ୍ମକ ଭାବେ ସ୍ଥିତି ଭଲ ରହିଛି । ଅନ୍ୟ ରାଜ୍ୟରେ କୋଇଲା ଅଭାବରୁ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି । ସେହିପରି ବିଦ୍ୟୁତ କାଟ୍ ଭଳି ସ୍ଥିତି ଓଡ଼ିଶାରେ ନାହିଁ । ସବୁ ବିଦ୍ୟୁତ ପ୍ରକଳ୍ପକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ MCLକୁ ନିର୍ଦ୍ଦେଶ ଦିଆଯାଇଛି । କୋଇଲା ଯୋଗାଇବାକୁ MCL ଏମଡିଙ୍କ ସହ ମୁଁ କଥା ହୋଇ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ସେପଟେ ବର୍ତ୍ତମାନ ଦେଶର କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍‌ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ । ଯାହା ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ପହଞ୍ଚାଇବ । ଗତ କିଛି ଦିନ ଧରି ଟ୍ରେନ୍ ଯୋଗେ ଜାରି ରହିଥିବା କୋଇଲା ପରିବହନ ୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି, ଯାହା ସୂଚାଉଛି ଏଥର ବିଜୁଳି ସଂକଟ କେତେ ଉତ୍କଟ ହୋଇଛି ।

ଏପଟେ ପାୱାର ପ୍ଲାଣ୍ଟଗୁଡ଼ିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ଭାରତୀୟ ରେଳପଥ ପ୍ରତିଦିନ ୪୦୦ରୁ ଅଧିକ କୋଇଲା ରେକ୍ ଲୋଡ୍ କରୁଛି, ଯାହାକି ଗତ ୫ ବର୍ଷରେ ସର୍ବାଧିକ । ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଏବେ ପ୍ରତିଦିନ ୪୧୫ କୋଇଲା ରେକ୍ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି ଭାରତୀୟ ରେଳପଥ । ପ୍ରତ୍ୟେକ ରେକ୍ ପ୍ରାୟ ୩ ହଜାର ୫୦୦ ଟନ୍ କୋଇଲା ପରିବହନ କରୁଛନ୍ତି ।