ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାର ନାଟକୀୟ ଅନ୍ତ : ଗାଡ଼ି ଖରାପ ହେବାରୁ ଥୋଇ ପଳାଇଥିଲେ ଯୁବକ

ଅନୁଗୁଳ ସିମିଳିପଡ଼ାର ସଂପୃକ୍ତ ଯୁବକଙ୍କୁ ଠାବ କଲା ବାରଙ୍ଗ ପୋଲିସ

ସ୍କୁଟି ଥୋଇ କେହି ନଦୀକୁ ଡେଇଁ ଥିବା ଆଶଙ୍କାରେ ପଡ଼ିଲା ପୂର୍ଣ୍ଣଛେଦ

ମୁଣ୍ଡଳିରେ ଅଘଟଣ ମିଛ । ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାର ନାଟକୀୟ ଅନ୍ତ ଘଟିଛି । ସ୍କୁଟି ଥୋଇ କେହି ନଦୀକୁ ଡେଇଁ ପଡ଼ିଥିବା ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି । ନଦୀକୁ କେହି ଡେଇଁନଥିଲେ, ପରନ୍ତୁ ସ୍କୁଟି ଥୋଇ ଯୁବକ ଜଣକ ପଳାଇଥିଲେ । ଅନୁଗୁଳ ସିମିଳିପଡ଼ାର ରଘୁରଞ୍ଜନ ମହାପାତ୍ରଙ୍କୁ ଠାବ କଲା ବାରଙ୍ଗ ପୋଲିସ । ସ୍କୁଟି ଖରାପ ହେବାରୁ ଗାଡ଼ି ଥୋଇ ପଳାଇଥିବା କହିଛନ୍ତି ସଂପୃକ୍ତ ଯୁବକ ।

ସେ କହିଛନ୍ତି ’ଘରେ ଟିକିଏ କଳିଝଗଡ଼ା ପାଇଁ ଘରୁ ପଳାଇ ଆସିଥିଲି । ଗୋଟିଏ ଥରରେ ମୁଣ୍ଡଳୀ ବ୍ରିଜ୍‌ ପାଖରେ ପହଞ୍ଚିଥିଲି । ହେଲେ ରାତିରେ ଯିବା ସମୟରେ ବ୍ରିଜ୍ ଉପରେ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ଅନ୍ଧାରରେ ଗାଡ଼ି ଥୋଇଲେ କାଳେ କେହି ନେଇଯିବ ଭାବି ଆଲୋକ ପଡ଼ିଥିବା ସ୍ଥାନରେ ଗାଡ଼ି ଥୋଇ ଦେଇଥିଲି । ଏପଟ ଲୋକ ସେପଟ ଲୋକ ଦେଖିଲେ କେହି ନେବେନି । ତା’ପରେ ଗ୍ୟାରେଜ୍‌ ଖୋଜିବା ପାଇଁ ବ୍ରିଜରେ ଗାଡ଼ି ଥୋଇ ଏକ ଟ୍ରକରେ ବରମୁଣ୍ଡା ପଳାଇଥିଲେ । ଶ୍ୱଶୁର ଘର ଲୋକଙ୍କୁ ଫୋନ୍‌ କରିଥିଲି କିନ୍ତୁ ତାଙ୍କ ଫୋନ୍‌ ସ୍ୱିଚ୍‌ ଆପ୍‌ ହୋଇଯାଇଥିଲା । ତା’ପରେ ମୁଁ ଶୋଇ ପଡ଼ିଥିଲି  । ’

ସେପଟେ ଯୁବକ ଜଣକ ବରମୁଣ୍ଡା ଯାଇ ଶୋଇ ପଡ଼ିଥିବା ବେଳେ ବ୍ରିଜ୍ ଉପରେ ସ୍କୁଟି ଦେଖି କେହି ଜଣେ ଡେଇଁଥିବା ଆଶଙ୍କା କରିଥିଲା ପୋଲିସ । ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀରେ ଝାଳନାଳ ହୋଇ ଯାଇଥିଲେ ଅଗ୍ନିଶମ ଟିମ୍ ।

ସୂଚନାଯୋଗ୍ୟ ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ପତ୍ତା ମିଳିନଥିଲା ।