ମୁକ୍ତାକାଶ ତଳେ ଖୁଲମଖୁଲ୍ଲା ହାଣ୍ଡିଆ ମାଡ଼ : ଗଛ ତଳେ ମଦ ବେପାର ଜମାଇଛନ୍ତି ଆଦିବାସୀ

ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି

ଗଛ ତଳେ ବେଧଡ଼କ ମଦ ବେପାର

ମାଲକାନଗିରି(ଜିତେନ୍ଦ୍ର ବେଉରା ଓ ରତ୍ନାକର ପ୍ରଧାନ) : ଗଛ ତଳେ ବେଧଡ଼କ ମଦ ବେପାର । ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ପ୍ରତ୍ୟେକ ଦିନ ନୁହେଁ ବରଂ ସପ୍ତାହକୁ ଥରେ ୫ରୁ ୬ ଘଣ୍ଟା ପାଇଁ ଖୋଲେ । ଏଠି ବୋତଲ ବଦଳରେ ହାଣ୍ଡିରେ ବିକ୍ରି ହୁଏ ମଦ । ଟିକସ୍ ଦେବାକୁ ପଡ଼େନି କି, ଅନୁମତି ନେବାକୁ ପଡ଼େନି । ଖୁଲମଖୁଲା ଏହି ବାରରେ ମଦ ପିଇ ମଜା ନିଅନ୍ତି ଆଦିବାସୀ । ସ୍ୱାଭିମାନ ଅଞ୍ଚଳରେ ଏଭିଳି ଦୃଶ୍ୟ ଦେଖିବାକୁ ମିଳେ ।

ସ୍ୱାଭିମାନ ଅଂଚଳର ପଣସପୁଟ ହାଟରେ ମଦର ପସରା । ଆଉ ମଦର ପସରା ମେଲି ବସିଛନ୍ତି ଆଦିବାସୀ ଶ୍ରେଣୀର ମହିଳା ଓ ପୁରୁଷ । ହାଣ୍ଡି ଭିତରେ ରହିଛି ପେଣ୍ଡମ,ସଲପ,ଚିନି ମଦ,ଚାଉଳ ମଦ,ଗୁଡ ମଦ ଭଳି ଅନେକ ପ୍ରକାରର ମଦ। ଏଠି ଗ୍ରାହକ ମଧ୍ୟ ସେହି ମହିଳା ଓ ପୁରୁଷ । ମଦ ବିକାଳିମାନେ ହାଟ ପୂର୍ବରୁ ନିଜେ ଘରେ ଏହି ମଦଗୁଡିକ ପ୍ରସ୍ତୁତ କରିଥାନ୍ତି । ଆଉ ହାଟ ଦିନ ଆଣି ବିକ୍ରି କରିଥାନ୍ତି ଭଳିକି ଭଳି ମଦ । ଗୋଟିଏ ହାଣ୍ଡି ମଦ ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହୁଏ । ଆଉ ଲାଭ ହୁଏ ୨୦୦ ଟଙ୍କା । ତେବେ ଆଜି ନୂଆ ନୁହଁ, କାହିଁ କେତେ ଦିନରୁ ଆଦିବାସୀମାନେ ଏହିପରି ଭାବେ ବିକ୍ରି କରି ଆସୁଛନ୍ତି ।

ସପ୍ତାହକୁ ଥରେ ଆଦିବାସୀମାନେ ହାଟକୁ ଆସିଲେ, ଏପରି ମଦର ପସରା ମେଲିଯାଏ । ଏହି ମଦ ବିଦେଶୀ ମଦ ପରି ପ୍ୟାକ ହୋଇନଥାଏ, ଗ୍ଲାସ ହିସାବ ମାପରେ ଦିଆଯାଏ ।୨୦ରୁ ୩୦ ଟଙ୍କାର ମଦ ପିଇ ନିଶାରେ ହାଟରେ ବୁଲିବା ମଜା ନିଅନ୍ତି ଆଦୀବାସୀ । ତେବେ ମଦ ହାଟ ନିକଟରେ ଚାଖଣାର ବ୍ୟବସ୍ଥା ମଧ୍ୟ ରହି ଛି। ଏଭଳି ମଦର ଆସର ଅନେକ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଅଂଚଳର ହାଟଗୁଡିକରେ ବିକ୍ରି ହୋଇ ଆସୁଛି।

ଏପରି ମଦ ବିକିବା ସଂପୂର୍ଣ୍ଣ ବେଆଇନ । ତଥାପି ଆଦିବାସୀ ପରମ୍ପରା ଅନୁଯାୟୀ କାହିଁ କେଉଁ ଆଦିମ କାଳରୁ ଏପରି ମଦ ବିକ୍ରି ହୋଇ ଆସୁଛି । ଏ ସଂପର୍କରେ ଅବକାରୀ ବିଭାଗର କହିବା କଥା ଆଦିବାସୀମାନେ ସେମାନେ ନିଜେ ପିଇବା ପାଇଁ ମଦ ପ୍ରସ୍ତୁତ କରିବାର ଅନୁମତି ରହିଛି । କିନ୍ତୁ ହାଟରେ ଯଦି ଏଭଳି ମଦ ପସରା ବିକ୍ରି ହୁଏ, ତେବେ ଏସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ମଦ ଜବତ କରିବା ସହ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । 

ଗୋଟିଏ ପଟେ ସେଚତନ ନଥିବା ଆଦିବାସୀଙ୍କ ମଦ ପିଇବା ଓ ବିକିବା ପରମ୍ପରା ଅନ୍ୟପଟେ ଆଇନ ଦୃଷ୍ଟିରେ ଏହା ଏକ ବେଆଇନ କାର୍ଯ୍ୟ । ଆଉ ଏହାରି ଭିତରେ ବର୍ଷ ବର୍ଷ ଧରି ଚାଲିଆସୁଛି ଏଭଳି ମଦର ଅଡ୍ଡା।