ଶୁଣିଲାନି ପ୍ରଶାସନ, ଶୁଣିଲେନି ନେତାମନ୍ତ୍ରୀ : ନିଜସ୍ୱ ଟଙ୍କାରେ ରାସ୍ତା ତିଆରି କଲେ ଗ୍ରାମବାସୀ

ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।

ଗାଁରୁ ନଥିଲା ଭଲ ରାସ୍ତା, ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

ବିନିକା( ଦିଲ୍ଲୀପ କୁମାର ସାହୁ) : ଶୁଣିଲାନି ପ୍ରଶାସନ ଏବଂ ଶୁଣିଲେନି ନେତାମନ୍ତ୍ରୀ । ଯାତାୟାତ ସୁବିଧା ପାଇଁ ଅଣ୍ଟା ଭିଡିଲେ ଗାଁ ଲୋକେ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଗାଁ ଲୋକେ ନିଜ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି । ବାରମ୍ବାର ପ୍ରଶାସନ ଏବଂ ନେତାମନ୍ତ୍ରୀଙ୍କ ପାଖରେ ଦାବି କଲା ପରେ ବି କେହି ଶୁଣିଲେନି । ଶେଷରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା କାଳାଟିକ୍ରା ଗ୍ରାମବାସୀ ଏକାଠି ହେଲେ । ନିଜ ହାତରୁ ଟଙ୍କା ଖଚ୍ଚ ର୍କରି ଗାଁ ଲୋକେ ତିଆରି କଲେ ରାସ୍ତା ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଚାଂୟତ କାଳାଟିକ୍ରା ଗାଁ ରାସ୍ତାର ସ୍ଥିତି ଅତି ଦୟନୀୟ । ଏହି ରାସ୍ତାେ ଦଇ ପ୍ରତିଦିନ ୮ ଟି ଗାଁର ଲୋକେ ଯିବାଆସିବା କରିଥାନ୍ତି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସୁନଥିବା କହିଛନ୍ତି ଗ୍ରାମବାସୀ । ମାତ୍ର ଏଠି ଦୁଇ ଦଶନ୍ଧି ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଅଚଂଳବାସୀ କାଦୁଅ ସରସର ରାସ୍ତାପାଇଁ ବହୁ ହଇରାଣ ହର୍‌କତ ହେଉଛନ୍ତି । ପିଲାଙ୍କ ପାଠପଢା ହେଉ ଅବା ରୋଗୀଙ୍କ ମେଡିକାଲ ଯିବା ହେଉ କିମ୍ବା ଝିଅ ବାହାଘର ହେଉ ବିଭିନ୍ନ ସମସ୍ୟା ଭୋଗିଥାନ୍ତି ଲୋକେ । ବାରମ୍ବାର ଅଭିଯୋଗ କରିବା ପରେ କେହି ଶୁଣି ନଥିବାରୁ ବାଧ୍ୟ ହୋଇ ଗାଁର ଛୋଟରୁ ବଡ ସମସ୍ତେ ଶ୍ରମଦାନ କରିବା ସହିତ ମେସିନ ସାହାଯ୍ୟରେ ତିଆରି କରିଛନ୍ତି ଦୁଇ କିଲୋମିଟର ରାସ୍ତା ।

ଭଲରାସ୍ତା ଟିଏ ତିଆରି ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଏବଂ ରାଜନେତାଙ୍କ ପାଖରେ ଗୁହାରୀ କରିଥିଲେ । କିନ୍ତୁ କେହି ବି କର୍ଣ୍ଣପାତ କରୁ ନଥିବାରୁ ପ୍ରତ୍ୟେକ ବର୍ଷ ଏମାନଙ୍କ ଅବସ୍ତା ବେହାଲ ହୋଇଯାଇଥାଏ । ହେଲେ ଏବେ ନିଜସ୍ୱ ଟଙ୍କାରେ ଏହି ରାସ୍ତା ତିଆରି କରି ଅନ୍ୟମାନଙ୍କ ପାଇଁ ପାଳଟିଛନ୍ତି ଉଦାହରଣ । ସେପଟେ ବିନିକା ବିଡିଓଙ୍କୁ ପଚାରିବାରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଗାଁ ରାସ୍ତାର ଉନ୍ନତି ପାଇଁ ପ୍ରଶାସନ ନିହାତି ଭାବରେ ସହଯୋଗ କରିବ ବୋଲି କହିଛନ୍ତି ।