ଲୋକଙ୍କ ପଥର ମାଡ଼ରେ ଗାଡ଼ି କାଚ ଭାଙ୍ଗିଲା, ବର୍ତ୍ତିଗଲେ ଜିଲ୍ଲାପାଳ

ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା ।

କୁଳିଅଣା ଥାନା ଏନ୍ଏଚ୍-୧୮ର ସୌରୀ ନିକଟରେ ପଥର ମାଡ଼

ଜିଲ୍ଲାପାଳଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକଙ୍କ ପଥର ମାଡ । ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠାକୁ ସ୍ଥାନାନ୍ତରିତ ଦାବି କରି ରାସ୍ତା ଅବରୋଧ ଏବଂ ପରେ ଉତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ୧୮ ନଂ ଜାତୀୟ ରାଜପଥରେ ଏପରି ଘଟଣା ଘଟିଛି । ବାରିପଦାରୁ ବାଙ୍ଗିରିପୋଷି ଯିବା ବେଳେ ଗାଡ଼ିକୁ ପଥର ମାଡ଼ କରାଯାଇଛି ।

ଆଜି କୁଳିଅଣା ବ୍ଲକର ଭଗବାନପୁର ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ଲୋକେ ଜିଦ୍ କରି ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁର୍ବରୁ ଏହି ଘଟଣା ହାଇକୋର୍ଟରେ ବିଚାରାଧିନ ଥିବା ବେଳେ ପ୍ରଶାସନ ନୂତନ କୋଠା ଅନ୍ୟ ସ୍ଥାନରେ ନିର୍ମାଣ ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ଆଜି ପାଞ୍ଚ ,ଛଅଟି ଗାଁର ଲୋକେ ଦିନ ୨ ଟାରୁ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉଭୟ ପାଖରେ ଶହ ଶହ ଗାଡି ମଟର ଚଳାଚଳ ଠପ୍ ହୋଇ ପଡ଼ିଥିଲା । ଏହି ସମୟରେ ମୟୁରଭଞ୍ଜ ଜିଲ୍ଲାପାଳ ସେହି ବାଟଦେଇ ଯାଉଥିବା ବେଳେ ଲୋକେ ଜିଲ୍ଲାପାଳଙ୍କ ଗାଡ଼ିକୁ ମଧ୍ୟ ଅଟକାଇ ଥିଲେ ।

ତେବେ ଆଲୋଚନା ମାଧ୍ୟମରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଘଟଣାସ୍ଥଳରୁ ଜିଲ୍ଲାପାଳ ଯିବା ପାଇଁ ବାହାରିବା ବେଳେ ଉତ୍ୟକ୍ତ ଲୋକେ   ପଥର ମାଡ଼ କରିଥିଲେ । ଫଳରେ ଜିଲ୍ଲାପାଳଙ୍କ ଗାଡ଼ି କାଚ ଭାଙ୍ଗି ଚୁରମାର ହୋଇ ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ତେବେ ଏସମ୍ପର୍କରରେ ଜିଲ୍ଲାପାଳଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।