କଳା ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କଲା ପ୍ରଫୁଲ୍ଲଙ୍କ ବିୟୋଗ : ଆଜି ସ୍ୱର୍ଗଦ୍ୱାରରେ ସଂଗୀତ ସ୍ରଷ୍ଟାଙ୍କ ଶେଷକୃତ୍ୟ

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

ଆଜି ସ୍ୱର୍ଗଦ୍ୱାରରେ ହେବ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ

ପରପାରିରେ କମଳ ଦେଶର ରାଜକୁମାର । ରବିବାର ବିଳମ୍ବିତ ରାତିରେ ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଛି । ସତ୍ୟନଗର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ସେ ଏକାଧାରରେ ଥିଲେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତରେ ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା । ପରିଣତ ବୟସ ପର୍ଯ୍ୟନ୍ତ ସେ ସଂଗୀତ ସାଧନାରେ ବ୍ରତୀ ଥିଲେ । ତାଙ୍କ ବିୟୋଗରେ ରାଜ୍ୟର ସାଂସ୍କୃତିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବହୁ କଳାକରା ଓ ବିଶିଷ୍ଟ ବ୍ୟକ୍ତି ପ୍ରଫୁଲ୍ଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ୨୦୦୪ରେ ସେ ପାଇଥିଲେ ଜୟଦେବ ପୁରସ୍କାର । ଏହାସହ ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ସେ ଏକାଧିକ ପୁରସ୍କାର ଓ ମାନ ସମ୍ମାନ ପାଇଛନ୍ତି । ୪୦ରୁ ଅଧିକ ଓଡ଼ିଶା ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ କର । ୫ଟି ବଙ୍ଗଳା ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ ।

ତେବେ ୧୯୭୭ର ବନ୍ଧୁ ମହାନ୍ତି ଫିଲ୍ମ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା । ଏହି ସିନେମାର ମହାବାହୁ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ ପରେ । ବଳୀଦାନ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ । କଳାପ୍ରିୟ ପରିବାରରୁ ଆସିଥିବା ପ୍ରଫୁଲ୍ଲ କରଙ୍କ ପରପୀଢ଼ୀ ମଧ୍ୟ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ । ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ସେପଟେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରପୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତାଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବୈଜୟନ୍ତ ପଣ୍ଡା ନିଜ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ପ୍ରଫୁଲ୍ଲଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଫୁଲ୍ଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଟ୍ୱିଟ କରି କହିଛନ୍ତି, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।