ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି ପାରମ୍ପରିକ ଇନ୍ଧନକୁ ହ୍ରାସ କରିବା ନେଇ ଦାବି ହେଉଛି। ଏହି ଅବସରରେ ଦେଶରେ ଅକ୍ଷୟ ଶକ୍ତି କ୍ଷେତ୍ରରେ କାମ ହେଉଛି। ଅକ୍ଷୟ ଶକ୍ତିରେ ପବନ ଓ ସୂର୍ଯ୍ୟାଲୋକ ମୁଖ୍ୟ ଭୂମିକାରେ ରହିଛି।
ବର୍ତ୍ତମାନ ଏ କ୍ଷେତ୍ରରେ ଭାରତ ବିକାଶ କରୁଛି। ବର୍ତ୍ତମାନର ଏକ ସୂଚନା ମୁତାବକ ଛାତ ଉପରେ ଲାଗୁଥିବା ସୌର ଶକ୍ତି ପ୍ରକଳ୍ପର ମୂଲ୍ୟ ଭାରତରେ ସବୁଠାରୁ କମ୍। ଦେଶରେ ଏହାର ମୂଲ୍ୟ ଘଣ୍ଟା ପ୍ରତି ପ୍ରତ୍ୟେକ ମେଗାୱାଟ୍ ପିଛା ୬୬ ଡଲାର ହୋଇଥିବା ବେଳେ ଚୀନରେ ୬୮ ଡଲାର ରହିଛି।
ଏକ ବୈଶ୍ୱିକ ଅଧ୍ୟୟନରେ କୁହାଯାଇଛି ଯେ କମ ମୂଲ୍ୟ କାରଣରୁ ଘରେ ଓ ବାଣିଜ୍ୟିକ କେନ୍ଦ୍ର ବା ଔଦ୍ୟୋଗିକ ଭବନରେ ଛାତ ଉପରେ ଲଗାଯାଉଥିବା ସୌର ପ୍ରକଳ୍ପ ଭଳି ରୁଫ୍ଟପ୍ ସୋଲାର ଫଟୋଭୋଲ୍ଟିକ୍ ଟେକ୍ନିକ୍ ବର୍ତ୍ତମାନ ସମୟରେ ଖୁବ ବ୍ୟବହୃତ ହେଉଛି। ଏହି ଅଧ୍ୟୟନ ଅନୁସାରେ ଆରଟିଏସପିବିରେ ୨୦୫୦ ପର୍ଯ୍ୟନ୍ତ ବୈଶ୍ୱିକ ବିଜୁଳିର ଆବଶ୍ୟକତା ୪୯ ପ୍ରତିଶତ ପୂରା ହେବ।
ବିଗତ ଏକ ଦଶନ୍ଧି ମଧ୍ୟରେ, ନୀତି-କେନ୍ଦ୍ରିତ ପଦକ୍ଷେପ ତଥା ଯୋଜନା ସ୍ଥାପିତ ଖର୍ଚ୍ଚର ତୀବ୍ର ହ୍ରାସ ବିଶ୍ୱବ୍ୟାପୀ RTSPV ର ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି। ୨୦୦୬ରୁ ୨୦୧୮ ମଧ୍ୟରେ, RTSPV ର ସ୍ଥାପିତ କ୍ଷମତା ୨୫୦୦ ମେଗାୱାଟ୍ରୁ ୨,୧୩,୦୦୦ମେଗାୱାଟ୍କୁ ବୃଦ୍ଧି ପାଇଛ।
ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ବିଶ୍ୱବିଦ୍ୟାଳୟର ପର୍ଯ୍ୟାବରଣ ତଥା ଉର୍ଜାର ବୈଶ୍ୱିକ କେନ୍ଦ୍ର ନିର୍ଦ୍ଦେଶକ ପ୍ରିୟଦର୍ଶୀ ଶୁକ୍ଲା, ଲଣ୍ଡନର ଇମ୍ପେରିଆଲ୍ କଲେଜର ଶିବିକା ମିତ୍ତଲ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ଜେମ୍ସ ଗ୍ଲିନ୍ ଏହି ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଦଳର ନେତୃତ୍ୱ ଆୟର୍ଲାଣ୍ଡସ୍ଥିତ ଶକ୍ତି, ପର୍ଯ୍ୟାବରଣ ଓ ମହାସାଗର ପାଇଁ ପ୍ରାଥମିକ ଅନୁସନ୍ଧାନ କେନ୍ଦ୍ର MAREI ର ଗବେଷକ ସିଦ୍ଧାର୍ଥ ଯୋଶୀ ନେଇଥିଲେ।
ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଚାଇନାରେ ଛାତ ଉପରେ ସୌର ଶକ୍ତି ଉତ୍ପାଦନ ପାଇଁ ଘଣ୍ଟାକୁ ପ୍ରତି ମେଗାୱାଟ୍ ପିଛା ୬୬ ଡଲାର ଓ ୬୮ ଡଲାର ରହିଥିବା ବେଳେ ଆମେରିକା ଓ ବ୍ରିଟେନରେ ଏହା ୨୩୮ ଡଲାର ଓ ୨୫୧ ଡଲାର ରହିଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୨୦୭୦ ସୁଦ୍ଧା ଭାରତକୁ ଏହାର ସୌର ଶକ୍ତି କ୍ଷମତାକୁ ୫୬୩୦ ଗିଗାୱାଟ୍କୁ ବୃଦ୍ଧି କରିବାକୁ ପଡିବ। ଶକ୍ତି, ପର୍ଯ୍ୟାବରଣ ଓ ଜଳ ପରିଷଦ (CEEW) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ ୧୦୦ ଗିଗାୱାଟ୍ ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ଅଛ। ଏଥିରୁ ୪୦ ଗିଗାୱାଟ୍ ହେଉଛି ସୋଲାର କ୍ଷମତା। ତେବେ ୨୦୩୦ସୁଦ୍ଧା ଏହାର ମୋଟ ଅକ୍ଷୟ ଶକ୍ତି କ୍ଷମତାକୁ ୪୫୦ ଗିଗାୱାଟ୍କୁ ବୃଦ୍ଧି କରିବାକୁ ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି।
CEEW ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୨୦୭୦ ସୁଦ୍ଧା ଶୁଦ୍ଧ ଭାବେ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ୨୦୪୦ ରୁ ୨୦୬୦ ମଧ୍ୟରେ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ବ୍ୟବହାର ୯୯ ପ୍ରତିଶତ ହ୍ରାସ କରିବାକୁ ପଡିବ। ଏହା ବ୍ୟତୀତ ୨୦୫୦ ରୁ ୨୦୭୦ ମଧ୍ୟରେ ଅଶୋଧିତ ତୈଳର ବ୍ୟବହାରକୁ ୯୦ ପ୍ରତିଶତ ହ୍ରାସ କରିବାର ଆବଶ୍ୟକତା ରହିବ।
ନବୀନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (MNRE) ଅନୁଯାୟୀ, ଭାରତ ୨୦୩୦ ସୁଦ୍ଧା ୪,୫୦,୦୦୦ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବାକୁ ଯାଉଛି। ଏହି ମାସ ଆରମ୍ଭରେ, MNRE FICCI ସହିତ ମିଳିତ ଭାବରେ ୬-୮ ଅକ୍ଟୋବରରୁ ଦୁବାଇ ଏକ୍ସପୋ ୨୦୨୦ରେ ଜଳବାୟୁ ଏବଂ ଜୈବ ବିବିଧତା ସପ୍ତାହରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା।|
MNRE, FICCI ଏବଂ SECI କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁଳି ଓ ନୂତନ ତଥା ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍. କେ. ସିଂ କହିଛନ୍ତି ଯେ ଆମର ସ୍ଥାପିତ କ୍ଷମତାର ୩୯ ପ୍ରତିଶତ ପୂର୍ବରୁ ଜୀବାଶ୍ମଭିତ୍ତିକ ଉତ୍ସରୁ ଆସିଛି। ୨୦୨୨ ସୁଦ୍ଧା ଆମେ ୪୦ ପ୍ରତିଶତ ଲକ୍ଷ୍ୟରେ ପହଞ୍ଚିବା। ସେ କହିଛନ୍ତି ଯେ ଭାରତ ଏକ ରୋମାଞ୍ଚକର ଯାତ୍ରା ଆରମ୍ଭ କରିଛି ଏବଂ SECI ୨୦୩୦ ସୁଦ୍ଧା ୪,୫୦,୦୦୦ ମେଗାୱାଟ୍ ସ୍ଥାପିତ କ୍ଷମତା ହାସଲ ଦିଗରେ କାର୍ଯ୍ୟ ଜାରି ରଖିବ।