ଲକଡାଉନ୍‌ ଆଣିଲା ସୁଯୋଗ : ମୂର୍ତ୍ତି ତିଆରି କାରଖାନା କରି ସଫଳ ହେଲେ ସ୍ୱାମୀ-ସ୍ତ୍ରୀ

ପ୍ରଫୁଲ୍ଲ ଓ ସ୍ତ୍ରୀ ମାନସୀ ଗତ ୨୦ ବର୍ଷ ଧରି ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ଲକଡାଉନ୍ ହେବାରୁ ଜୀବିକା ହରାଇ ଚେନ୍ନାଇରୁ ଘରକୁ ଫେରି ଆସିଲେ । ଅନ୍ୟଠୁ ଧାରକରଜ କରି ଗାଁରେ ଆରମ୍ଭ କଲେ ଏକ ମୂର୍ତ୍ତି ତିଆରି କାରଖାନା ।

ଅଭାବ ଅସୁବିଧା ହିଁ ଉଦ୍ଭାବନର ଜନନୀ

ଅଭାବ ଅସୁବିଧା ହିଁ ଉଦ୍ଭାବନର ଜନନୀ । ଲକଡାଉନ୍ ସମୟରେ ଚେନ୍ନାଇରେ ଜୀବିକା ହରାଇବା ପରେ ଗାଁକୁ ଆସି ସ୍ୱାମୀ, ସ୍ତ୍ରୀ ଆରମ୍ଭ କଲେ ମୂର୍ତ୍ତି ତିଆରି କାରଖାନା । ସୌଭାଗ୍ୟବଶତଃ କରୋନା କାଳରେ ମଧ୍ୟରେ ଭଲ ଚାଲିଲା ବ୍ୟବସାୟ । ବର୍ତ୍ତମାନ ଏଠାରୁ ମାସକୁ ୩୦ ହଜାରରୁ ଅଧିକ ମୂର୍ତ୍ତି ତିଆରି କରି ଦେଶର ବିଭିନ୍ନ ସ୍ଥାନକୁ ରପ୍ତାନୀ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଶହେରୁ ଅଧିକ କାରିଗରଙ୍କୁ ରୋଜଗାରକ୍ଷମ କରି ପାରିଛନ୍ତି । ଆଗର୍ଦା ଗାଁରୁ ସ୍ୱାମୀ-ସ୍ତ୍ରୀଙ୍କ ସଫଳତାର କାହାଣୀ ସତରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ସାଇଁକୂଳ ନିକଟ ଆଗର୍ଦା ଗାଁର ସ୍ୱାମୀ ସ୍ତ୍ରୀ ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ ସ୍ତ୍ରୀ ମାନସୀ । ଯେଉଁଠି ରହିଛି ଏକ ମୂର୍ତ୍ତି ତିଆରି କାରଖାନା । ଛାଞ୍ଚରେ ମୂର୍ତ୍ତି ଗଢିବା ଠାରୁ ଆରମ୍ଭ କରି ମୂର୍ତ୍ତିକୁ ରଙ୍ଗ ଦେବା ତୂଳୀରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବା ସହ ଶେଷରେ ମୂର୍ତ୍ତିକୁ ପ୍ୟାକିଂ କରିବା ପର୍ଯ୍ୟନ୍ତ ସମସ୍ତ କାମ ଏଠାରେ କରାଯାଏ । ଏହାପରେ ମୂର୍ତ୍ତିକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଗତ ୨ ବର୍ଷ ହେଲା ଏଠାରେ ମୂର୍ତ୍ତି ତିଆରି କାରଖାନା କରାଯାଇଛି ।

ପ୍ରଫୁଲ୍ଲ ଓ ସ୍ତ୍ରୀ ମାନସୀ ଗତ ୨୦ ବର୍ଷ ଧରି ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ଲକଡାଉନ୍ ହେବାରୁ ଜୀବିକା ହରାଇ ଚେନ୍ନାଇରୁ ଘରକୁ ଫେରି ଆସିଲେ । ଅନ୍ୟଠୁ ଧାରକରଜ କରି ଗାଁରେ ଆରମ୍ଭ କଲେ ଏକ ମୂର୍ତ୍ତି ତିଆରି କାରଖାନା । ଯେଉଁଠି ସେ ଫାଇବର୍, ମାର୍ବଲ୍ ଆଦିରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି, ପୁରାତନ କଳାକୃତି, ବାସ୍ତୁଶାସ୍ତ୍ର ସମ୍ବନ୍ଧୀୟ ମୂର୍ତ୍ତି କରୁଛନ୍ତି ।

ମାସକୁ ୩୦ ହଜାରରୁ ଅଧିକ ମୂର୍ତ୍ତି ତିଆରି କରି ଦେଶର ବିଭିନ୍ନ ସ୍ଥାନକୁ ରପ୍ତାନୀ କରୁଛନ୍ତି । ଏଥିରେ ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଶହେରୁ ଅଧିକକାରିଗରଙ୍କ ପେଟକୁ ଦାନା ଯୋଗାଇ ପାରିଛନ୍ତି । ଏଠାରେ କାମ କରି କାରିଗରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ଆସିବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମୂର୍ତ୍ତି କାରିଗର । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ