କୋବି ବିଲରେ ଆଣ୍ଠୁଏ ପାଣି ! ଚାଷୀ ଆଖିରେ ରକ୍ତ, ଦୃଶ୍ୟ ଦେଖି ଛାତି ଫାଟି ଯାଉଛି

କୋବି ଟିକେ ସୁକୁମାରିଆ ପରିବା । ସାମାନ୍ୟ ବର୍ଷା ହେଲେ ବି ଏହା ନଷ୍ଟ ହୋଇଯାଏ । କିଛି ସ୍ଥାନରେ ଫୁଲ ଧରି ଆସିଥିଲା ବେଳେ ବର୍ଷା ମାଡରେ ଏହା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣି ମଧ୍ୟ ଚାଷୀ ନିଜ ଫସଲକୁ ବଂଚାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି। କେବଳ ଗୋଟିଏ ଆଶା କାଳେ କିଛି ଫସଲ ବଂଚିଯିବ।

କୋବି ବିଲରେ ପାଣି

ଯାଜପୁର(ଗୁଲାମ ଗସ) : ଏକର ଏକର କୋବି କିଆରି । ଯୁଆଡ଼େ ଚାହିଁବ ସବୁଜ ବଢ଼ିଲା ଗଛ । ଦିନ କେଇଟାରେ ଫୁଲ ଅମଳ ହେଇଥାନ୍ତା । କିନ୍ତୁ ଅବସ୍ଥା ଏପରି କିଆରିରୁ ବାଲଟି ବାଲଟି ପାଣି ବାହାର କରୁଛି ଚାଷୀ । ଚାଷୀର ୬ ମାସର ସ୍ୱପ୍ନ ହଠାତ୍ ପାଣିରେ ମିଶି ତଳିତଳାନ୍ତ ହୋଇଯାଇଛି। ହେଉଛି ଯାଜପୁର ଜିଲ୍ଲାର ପରିବା ବାଡ଼ି କୁହାଯାଉଥିବା ରସୁଲପୁର ବ୍ଲକ ଅଂଚଳର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ବାତ୍ୟା ଟଳିଗଲା ସିନା କିନ୍ତୁ ଭାଙ୍ଗି ଦେଇଗଲା ଚାଷୀର ମେରୁଦଣ୍ଡ । ଲଗାଣ ବର୍ଷା ଯୋଗୁ ଉଜୁଡି ଯାଇଛି ହେକ୍ଟର ହେକ୍ଟର ଜମିରେ ଲାଗିଥିବା କୋବି ଫସଲ । ଜୱାଦ ପ୍ରଭାବରେ ବର୍ଷା ଲାଗି ରହିବାରୁ ଅମଳକ୍ଷମ କୋବି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଛାଡିଗଲା ପରେ ଫସଲକୁ ରକ୍ଷା କରିବାକୁ ଚାଷୀ ଚଳାଇଛି ପ୍ରାଣମୂର୍ଚ୍ଛା ଉଦ୍ୟମ ।

ରସୁଲପୁର ବ୍ଲକ ଅନ୍ତର୍ଗତ ସିଂହାପୁର, ବାରବାଟୀ, ନଠୁଆବର ଆଦି ଅଂଚଳରେ ବ୍ୟାପକ କୋବି ଚାଷ କରାଯାଇଥାଏ । ତେବେ ଜୱାଦର ପ୍ରଭାବରେ ୨ଦିନ ଧରି ବର୍ଷା ଲାଗି ରହିବା ଫଳରେ ହେକ୍ଟର ହେକ୍ଟର କୋବି କିଆରିରେ ପାଣି ଜମି ରହିଛି । ଫଳରେ କୋବି ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ ଆଶଙ୍କା କରୁଛି।

କୋବି ଫସଲ ଏହି ଅଂଚଳର ଏକ ପ୍ରମୁଖ ଚାଷ। ଶୀତ ଦିନିଆ କୋବିଚାଷ କରି ଏ ଅଂଚଳର ଚାଷୀ ଭଲ ଦୁଇ ପଇସା ଲାଭ କରନ୍ତି । ଏଥିପାଇଁ ଚାଷୀମାନେ ସମବାୟ ସମିତିରୁ ଋଣ ଓ ହାତଉଧାରି କରି କୋବି ଚାଷରେ ଖଟାନ୍ତି । କିନ୍ତୁ ଅଦିନିଆ ଝଡ ଏଥର ସେମାନଙ୍କ ମେରୁଦଣ୍ଡକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି ।