Advertisment

ଚାଷୀ ପେଟକୁ ଲାତ ପରେ ଲାତ ମାରୁଛି ଅଦିନିଆ ବର୍ଷା

ଭାସୁଛି ଦାନାପାଣି, ଉଜୁଡ଼ା କ୍ଷେତ ଦେଖି ମ୍ରିୟମାଣ ଚାଷୀ। ଜଓ୍ୱାଦଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। କେଉଁଠି ଧାନ ଚାଷ ନଷ୍ଟ ହେବାକୁ ବସିଛି ତ ପୁଣି କେଉଁ ପନିପରିବା ଆଉ ଉଧେଇବା ଅବସ୍ଥାରେ ନାହିଁ।

ଅଦ୍ୟତନ ହୋଇଛି
undefined

Heavy rain kicking stomach of farmer

Advertisment

ଭୁବନେଶ୍ୱର: ଜଓ୍ୱାଦଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। ଭଦ୍ରକ ବାସୁଦେବପୁରର ଜମିରେ ଫସଲ ଆଉ ଆଦାୟ ସ୍ଥିତିରେ ହିଁ ନାହିଁ। ସୂଚନା ଅନୁସାରେ କେବଳ ବାସୁଦେବପୁର ବ୍ଲକ୍‌ରେ ଏ ବର୍ଷ ୩୨ ହଜାର ୨୩୯ ହେକ୍ଟର ଜମିରେ ଧାନ ଚାଷ ସହ ସମଗ୍ର ଜିଲ୍ଲାରେ ୧ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଖରିଫ ଧାନ ହୋଇଥିଲା। ଏମିତିକି ସେଥିରୁ ପ୍ରାୟ ୯୦ ପ୍ରତିଶତ ପାଚିଲା ଧାନ କଟା ହେବା ସ୍ଥିତିକୁ ବି ଆସିଯାଇଥିଲା। ହେଲେ ପ୍ରଥମେ ଜଓ୍ୱାଦ ଓ ଗତ ଦୁଇ ଦିନ ଧରି ବର୍ଷାରେ ବହୁ ସ୍ଥାନରେ ଗଛରେ ଥାଇ ଗଜା ଧରିଲାଣି ଧାନ।

Advertisment

ସେହିପରି ସ୍ଥିତି ଆହୁରି ସଂଗୀନ ହୋଇପଡିଛି ବାଲେଶ୍ୱର ଜିଲ୍ଲାରେ। ଟ୍ରପ୍ ଲାଇନ୍ ବର୍ଷାରେ ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ସୋର ସବୁଠି ଅମଳ ସ୍ଥିତିକୁ ଆସିଥିବା ଧାନ ପାଣିରେ ଭାସୁଛି। କେବେ ଜମି ଶୁଖିବ ଓ ସେଠୁ ଫସଲ କାଟି ଚାଷୀ ଘରକୁ ଆଣିବ ସେହି ଆଶା କ୍ଷୀଣ ହେବାରେ ଲାଗିଛି। ଜୀବନ ବିକଳରେ ଯାହା କିଛି ବତୁରା ଧାନ ଅମଳ କରି ଆଣିଛି, ତାକୁ ଶୁଖାଇବା କାମରେ ଲାଗିଛି ଚାଷୀ। ସବୁଠି ସରକାରଙ୍କୁ ସେମାନଙ୍କ ଗୁହାରି, ଶୀଘ୍ର ସହାୟତା ନ ଦେଲେ ପରିବାର ଭୋକ ଉପାସରେ ରହିବା ନିଶ୍ଚିତ।

ପନିପରିବା ଫସଲକୁ ମଧ୍ୟ ନଷ୍ଟ କରିଛି ଅଦିନ ମେଘ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ପରିବା କ୍ଷେତ ବର୍ଷା ମାଡ଼ରେ ଡଙ୍କ ମୋଡ଼ି ପଡିଛି। ଏକର ଏକର ଜମିରେ ଫୁଲକୋବି ବର୍ଷା ମାଡ଼ରେ ଆଉ ଗଛ ଉଧେଇବା ଆଶା କ୍ଷୀଣ ଜାଣିବା ପରେ ଫୁଲକୋବି ଓ ମୂଳା ସବୁ ଉପା଼ଡି ଆଣୁଛି ଚାଷୀ। ସେମିତି ପାଣି ଭର୍ତ୍ତି ପରିବା କ୍ଷେତକୁ ଦେଖି ହୃଦୟ ସହୁନି ଯାଜପୁର ରସୁଲପୁର ଅଞ୍ଚଳର ପରିବା ଚାଷୀଙ୍କର। ଜମିରୁ ପାଣି ଖାଲି ନ କଲେ ଯାହା ବି ଫସଲ ବଞ୍ଚିଛି ସବୁ ପଚିଯିବା ନିଶ୍ଚିତ ଜାଣି ଜୀବନ ବିକଳରେ ଜମିରୁ ପାଣି ନିଷ୍କାସନରେ ଚାଷୀ ବ୍ୟସ୍ତ ଥିବା ଦେଖାଯାଏ।

Advertisment

ସେପଟେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଶୀଘ୍ର ଆକଳନ କରି ଉଭୟ ଚାଷୀ ଓ ଭାଗଚାଷୀଙ୍କୁ ସହାୟତା ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଲେଣି ଚାଷୀ। ଗଞ୍ଜମ ଧରାକୋଟ ତହସିଲ ସମ୍ମୁଖରେ ବସିଛନ୍ତି ଚାଷୀ। କୃଷି ଋଣ ଛାଡ଼ ସାଙ୍ଗକୁ କ୍ଷତିଗ୍ରସ୍ତ ଧାନ ଫସଲ ପାଇଁ ଏକର ପିଛା ୨୦ ହଜାର ଓ ଅନ୍ୟ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ସହ ରବି ଫସଲ ପାଇଁ ମାଗଣା ବିହନ ପ୍ରଦାନ ଭଳି ୭ ଦଫା ଦାବିରେ ବିକ୍ଷାଭ ପ୍ରଦର୍ଶନ କରିଛନ୍ତି ଚାଷୀ। ଏଣେ ଜିଲ୍ଲାପାଳମାନଙ୍କଠୁ କ୍ଷୟକ୍ଷତି ରିପୋର୍ଟ ଆସିଲେ ରିଲିଫ୍ କୋଡ୍ ଅନୁସାରେ ପ୍ରଭାବିତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯିବା ନେଇ ରାଜସ୍ୱମନ୍ତ୍ରୀ ଗତ ସପ୍ତାହରୁ କହି ସାରିଥିଲେ ବି ନିର୍ଦ୍ଦିଷ୍ଟଭାବେ କେବେ କ୍ଷତିପୂରଣ ମିଳିବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି ଚାଷୀ।

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ