ଅସ୍ତ୍ରୋପଚାର କରି ପୁଅ ପାଲଟିଗଲେ ଆଇପିଏସ୍‌ ଦମ୍ପତିଙ୍କ ୨୨ ବର୍ଷିୟ ଝିଅ

ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅର ଏଭଳି ବିରଳ ଅପରେସନ୍ ହୋଇଛି ।

ଅପରେସନ ପରେ ଯୁବତୀରୁ ଯୁବକ ପାଲଟିଲେ

ଥିଲେ ଝିଅ, ହେଲେ ପୁଅ । ୨୨ ବର୍ଷ ଯୁବତୀଙ୍କ ହେଲା ଲିଙ୍ଗ ପରିବର୍ତ୍ତନ । ଅପରେସନ ପରେ ଯୁବତୀରୁ ଯୁବକ ପାଲଟି ଯାଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ଏଭଳି ବିରଳ ଅପରେସନ୍ କରିଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଏହି ସେକ୍ସ ରିଆସାଆଏନମେଣ୍ଟ୍‌ ସର୍ଜରୀ କରାଯାଇଛି । ତେବେ ଗୋପନୀୟତା ଦୃଷ୍ଟିରୁ ସେମାନଙ୍କ ନାଁ ପ୍ରକାଶ କରାଯାଉ ନାହିଁ ।

ଅନ୍ୟପକ୍ଷରେ ଲିଙ୍ଗ ପରିବର୍ତ୍ତନ ନେଇ ଆଇପିଏସ୍ ଦଂପତି କିମ୍ବା ତାଙ୍କ ଝିଅ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଏଥିସହିତ ବିଦ୍ଧିବଦ୍ଧ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି । ପୁଅରୁ ଝିଅ ଲିଙ୍ଗ ପରିବର୍ତ୍ତନ ଲାଗି ହେଉଥିବା ଅପରେସନ ଅପେକ୍ଷାକୃତ ସରଳ ହୋଇଥିବା ବେଳେ ଝିଅରୁ ପୁଅକୁ ଲିଙ୍ଗ ପରିବର୍ତ୍ତନ ଅପରେସନ ଜଟିଳ ହୋଇଥାଏ ବୋଲି ବିଶେଷଜ୍ଞ କହନ୍ତି ।

ଏହି ଅପରେସନ କରିବା ପୂର୍ବରୁ ଯାହାଙ୍କ ଠାରେ ଏହି ଅପରେସନ କରାଯିବ ତାଙ୍କର ସ୍ୱୀକୃତି ନେବାକୁ ପଡିଥାଏ । ଏହାସହ ପିଲାଙ୍କ ବାପାମାଆଙ୍କ ସ୍ୱୀକୃତି ନେବାକୁ ପଡିଥାଏ । ସମସ୍ତଙ୍କ ସ୍ୱୀକୃତି ପରେ ଅପରେସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

ଅସ୍ତ୍ରୋପଚାର କରିବା ପାଇଁ ପ୍ଲାଷ୍ଟିକ ସର୍ଜନ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଏଣ୍ଡୋକ୍ରାଇନୋଲଜିଷ୍ଟ ଓ ମନୋବିଜ୍ଞାନୀଙ୍କୁ ନେଇ ଏକ ଟିମ୍ କାମ କରିଥାଏ । ଯୁବତୀ ଜଣକ ସଂପୂର୍ଣ୍ଣ ଭାବେ ଯୁବକରେ ପରିବର୍ତ୍ତନ ହେବାକୁ ପ୍ରାୟ ୨ ବର୍ଷ ଲାଗିଥାଏ । ହରମୋନ୍ ଜନିତ ପରିବର୍ତ୍ତନ ଲାଗି ଏହି ସମୟ ଲାଗିଥାଏ ବୋଲି ବିଶେଷଜ୍ଞ କହିଛନ୍ତି । ଓଡ଼ିଶାରେ ଝିଅରୁ ପୁଅ ହେବା ଲାଗି ଅସ୍ତ୍ରୋପଚାର ପାଇଁ ପ୍ରାୟ ୩ ଲକ୍ଷ ୫୦ ହଜାର ଓ ପୁଅରୁ ଝିଅ ହେବା ପାଇଁ ଅପରେସନ୍ ବାବଦକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଜଣାପଡ଼ିଛି ।