Advertisment

ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଶିଳ୍ପୀଙ୍କୁ ପୋଲିସ ତାଗିଦ

ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଛି। କଥା ଏତିକିରେ ଅଟକିନି, ଏହି ମୂର୍ତ୍ତି ବିବାଦ ହାଇକୋର୍ଟରେ ବି ପହଞ୍ଚିଛି।

Ganesh Idol Controversy

Ganesh Idol Controversy

Advertisment

ଗଣେଶ ମୂର୍ତ୍ତିକୁ ନେଇ ଦେଖାଦେଇଛି ବିବାଦ। ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରିଛି। ଏହି ଶିଳ୍ପୀମାନେ ବିଘ୍ନ ବିନାଶକଙ୍କୁ ରୁଦ୍ର ରୂପ ଦେବା ସହ ଜଟାରେ ଗଙ୍ଗା, ବେକରେ ସାପ ପକେଇ ମହାଦେବଙ୍କ ଅବତାରରେ ସଜେଇଛନ୍ତି।

Advertisment

କେଉଁ ମୂର୍ତ୍ତିରେ ଗଜାନନ, ସିଂହ ଉପରେ ବିରାଜମାନ ତ ଆଉ କେଉଁଠି ଦୁଇ ସିଂହ ଉପରେ ରଖିଛନ୍ତି ହାତ। ଭିନ୍ନ ଭିନ୍ନ ବେଶରେ ବିଭିନ୍ନ ଢଙ୍ଗରେ ତିଆରି ହୋଇଛି ଭଳିକି ଭଳି ମୂର୍ତ୍ତି। ଏଭଳି ନିଆରା ନିର୍ମାଣକୁ ନେଇ ଅଡୁଆରେ ପଡିଛନ୍ତି ଶିଳ୍ପୀ ଓ ପୂଜା କମିଟି। ପ୍ରଭୁ ଗଣେଶଙ୍କ ମୂର୍ତ୍ତି ବିକୃତ କରିବା ଅଭିଯୋଗରେ କଟକ କୁମ୍ଭାର ସାହିର କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ତାଗିଦ କରିଛି ପୋଲିସ। ତୁରନ୍ତ ମୂର୍ତ୍ତି ଭାଙ୍ଗିବାକୁ କୁହାଯାଇଛି। ସେପଟେ ପୋଲିସ୍‌ର ଏଭଳି ଆଭିମୁଖ୍ୟ ପ୍ରତିବାଦରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ମୂର୍ତ୍ତି ଶିଳ୍ପୀ।

ଏପଟେ କଟକ ଡିସିପି କହିଛନ୍ତି, ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଭଳି ମୂର୍ତ୍ତି ନିର୍ମାଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଇନଜୀବୀ ମଧ୍ୟ କହିଛନ୍ତି, ମୂର୍ତ୍ତିକୁ ବିକୃତ କରିବା ଅନୁଚିତ, ଏହା ଦଣ୍ଡନୀୟ ଅପରାଧ।

Advertisment

କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ରୂପ ଦିଆଯାଇଛି। କେଉଁଠି ଗଣେଶ ଘୋଡା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ ଉପରେ। କେଉଁ ମୂର୍ତ୍ତି କାରିଗର ସାଇବାବାଙ୍କ କୋଳରେ ଗଣେଶଙ୍କୁ ସ୍ଥାନ ଦେଇଛନ୍ତି ତ ଆଉ କିଏ ଦେଇଛନ୍ତି ଶିବଙ୍କ ରୂପ। ସେହିପରି ଅନ୍ୟ କେଉଁଠି ଗଣେଶ କାଳୀୟ ଦଳନ କରୁଛନ୍ତି ଆଉ ସମୁଦ୍ର ମନ୍ଥନ ବି। ଲମ୍ବୋଦର ବଦଳରେ ଗଣେଶଙ୍କ ସିକ୍ସ ପ୍ୟାକ୍ ସାଙ୍ଗକୁ ବାହୁବଳୀ ବେଶ ଯେତିକି ଆକର୍ଷଣୀୟ କରୁଛି ସେତିକି ବିବାଦ ମଧ୍ୟ ସୃଷ୍ଟି କରୁଛି।

ମହାମାରୀ ପାଇଁ ଦୁଇ ବର୍ଷ ହେଲା ସାର୍ବଜନୀନ ପୂଜା ବନ୍ଦ ରହିଥିଲା। ପୂଜା ପାଇଁ ଏଥର କଟକଣା କୋହଳ ହୋଇଛି। ବିଘ୍ନ ବିନାଶକଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇଉଠିଛି ସାରା ରାଜ୍ୟ।

Advertisment

(ରିପୋର୍ଟ : କଟକରୁ ଦେବାଶିଷ ମହାନ୍ତି, ରାଉରକେଲାରୁ ପୱନ ତିୱରୀ, ଖୋର୍ଦ୍ଧାରୁ ବଳରାମ ଲେଙ୍କାଙ୍କ ସହ ଭୁବନେଶ୍ୱରରୁ ଜଗଦୀଶ ଦାଶ)

Odisha News Idol Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ