ଅନାଥଙ୍କ ମୁହଁରେ ହସ : ବଜାର ବୁଲି ମନ ପସନ୍ଦର ଜିନିଷ କିଣିଲେ ବାପାମା’ ଛେଉଣ୍ଡ ପିଲା

ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ

ଆଜି ପିଲାଙ୍କ କି ଖୁସି

ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ । ଇଚ୍ଛା ଥିଲେ ବି ସୁଯୋଗ ନଥିବାରୁ ସେମାନେ ମନମାରି ରହନ୍ତି । ତେବେ ଗଜପତି ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡିର ଏକ ଅନାଥାଶ୍ରମରେ ରହୁଥିବା ପିଲାମାନେ ବଜାର ବୁଲିଛନ୍ତି ଏବଂ ନିଜ ମନସପସନ୍ଦର ପୋଷାକ ମଧ୍ୟ କିଣିଛନ୍ତି । କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରଶାସନର ଏପରି ପଦକ୍ଷପେ ନେଇଛି । 

ପାରଳାଖେମୁଣ୍ଡିରେ ରହିଛି ବାଳିକା ଶିଶୁ ଯତ୍ନ କେନ୍ଦ୍ର । ପ୍ରାଉଡ୍ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ଏହି ଶିଶୁ ଯତ୍ନ କେନ୍ଦ୍ରରେ ୪୦ରୁ ଅଧିକ ବାଳିକା ରହୁଛନ୍ତି । ସମସ୍ତେ ବାପ ମା’ ଛେଉଣ୍ଡ । ସାଧାରଣତଃ ଆଶ୍ରମ କିମ୍ବା ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବାର ବ୍ୟବସ୍ଥା କରାଯାଇଥାଏ । ହେଲେ ଅନେକ ଦିନ ପରେ ଏବେ ଭାଙ୍ଗିଛି ଏହି ୟୁନିଫର୍ମ ପରମ୍ପରା । ପ୍ରଶାସନ ଆଜି ତାଙ୍କ ମନ କଥା ବୁଝିଛି । ସପିଂ କରିବା ପାଇଁ ଯାଇଛନ୍ତି । ସାଧାରଣ ପିଲାଙ୍କ ପରି ନିଜ ନିଜ ପାଇଁ  ନିଜ ମନପସନ୍ଦର ଜିନିଷ କିଣି ଆଣିଛନ୍ତି ।  

 ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ଅନ୍ତେବାସୀଙ୍କୁ ବଜାରକୁ ନିଆଯାଇ ସେମାନଙ୍କୁ ନିଜର ମନପସନ୍ଦର ପୋଷାକ କିଣିବାକୁ ସୁଯୋଗ ଦିଆଯାଇଛି ।  ତେବେ ଏହି ସମୟରେ ପିଲାଙ୍କ ମୁହଁରେ ଥିବା ଖୁସି ଜଣେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ପ୍ରଥମ ଥର ପାଇଁ ସେମାନେ ଏଭଳି ବଜାର ବୁଲି ନିଜ ପାଇଁ କିଛି କିଣିବାର ସ୍ୱାଧୀନତା ପାଇଥିବାରୁ ସେମାନେ ଖୁବ୍ ଖୁସି ପ୍ରକାଶ କରିଛନ୍ତି ।

ଦୋକାନରେ ସେମାନେ ଯେତେ ସମୟ ରହିବାକୁ ଚାହିଁଥିଲେ ଏବଂ ଯାହା ଦେଖିବାକୁ ଚାହିଁଥିଲେ ଦୋକାନୀ ମଧ୍ୟ ତାଙ୍କୁ ସବୁ ଦେଖାଇଛନ୍ତି । ସେମାନେ ନିଜ ମନପସନ୍ଦର ପୋଷାକ କିଣିଥିବାରୁ ଖୁବ୍ ଖୁସିଥିବା କହିଛନ୍ତି ଅନାଶ୍ରମର ଅନ୍ତେବାସୀ ।

ଅନାଥଙ୍କ ମୁହଁରେ ହସ ଫୁଟାଇବାର ସୁଯୋଗ କେବଳ ଜଣେ ଭାଗ୍ୟବାନଙ୍କୁ ହିଁ ମିଳିଥାଏ । ତେଣୁ ଏଦିଗରେ ସହୃଦୟ ବ୍ୟକ୍ତିମାନେ ଆଗେଇ ଆସିଲେ ଅନାଥ ହସି ପାରନ୍ତେ ।

ଗଜପତିରୁ ଆଦର୍ଶ ଦାଶ