ଦିଲ୍ଲୀ ମୁଣ୍ଡକା ଓ ପଞ୍ଜାବ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ତତ୍ପର ରାଜ୍ୟ ଅଗ୍ନିଶମ ବିଭାଗ । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ । ସପିଂ ମଲ୍, କ୍ଲିନିକ୍, ହସପିଟାଲ, ସିନେମା ହଲ୍ ଏବଂ ବଡ ବଡ ଅଟ୍ଟାଳିକାରେ ଚଢାଉ କରି ଫାୟାର ସେଫଟି ବ୍ୟବସ୍ଥା ପରଖିଛି । ବିଭାଗ କାହାକୁ ଫାଇନ୍ କରାଯାଇଛି ତ ଆଉ କାହାକୁ ତାଗିଦ । ତେବେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ କେତେ ସଚେତନ ଅଛନ୍ତି ।
ଆଜି ବାଲେଶ୍ୱରର ସପିଂ ମଲରେ ଅଗ୍ନିଶମ ବିଭାଗ ଅଚାନକ ଚଢାଉ କରିଛି । ମଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଚାଲିଲା ଯାଂଚ୍ । ଫାୟାର ସାଇରନ୍ କାମ କରୁଛି କି ନାହିଁ, ଅଗ୍ନି ନିର୍ବାପକ ଯନ୍ତ୍ର ଠିକ ଅଛି କି ନାହିଁ , ଟିକନିଖ୍ ଅନୁଧ୍ୟାନ କରିଥିଲେ ଅଧିକାରୀ । ମିଳିଥିବା ସୂଚନା ଅନୁସାରେ, କାହାର ଫାୟାର ସେଫଟି ସାର୍ଟିଫିକେଟ୍ ନଥିଲା ତ ଆଉ କେଉଁଠି, ଅଗ୍ନି ନିରାପତ୍ତା ସିଲିଣ୍ଡର ଚଳାଇବାକୁ ନଥିଲେ । ଅଭିଜ୍ଞ କର୍ମଚାରୀ ସଂପୃକ୍ତ ମଲ୍ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଫା ସଫା ଶୁଣାଇଥିଲେ ଫାୟାର ସେଫଟି ଅଫିସର ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଆରମ୍ଭ ହୋଇଛି ସଚେତନତା । ବିଭିନ୍ନ ମାର୍କେଟରେ ସଚେତନ କରିଛି ଅଗ୍ନିଶମ ବିଭାଗ । ବିଶେଷ କରି ୧ ନମ୍ବର ହାଟ, ୨ ନମ୍ବର ମାର୍କେଟ୍ ଏବଂ ୪ ନମ୍ବର ହାଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ହାଟ ବ୍ୟବସାୟୀ ଓ ଦୋକାନ ମାଲିକଙ୍କୁ ନେଇ ବୈଠକ କରାଯାଇଛି । ଅଗ୍ନିକାଣ୍ଡରୁ କିଭଳି ବର୍ତ୍ତିହେବ ଏବଂ ଧନ ଜୀବନର ସୁରକ୍ଷା ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛି ଅଗ୍ନିଶମ ବିଭାଗ ।
ରାଜ୍ୟରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲ, ଲଜିଂ, ସିନେମା ହଲ୍ ଓ ଅତିଥତ୍ ଭବନ, ସରକାରୀ କୋଠା, ମଲ୍ଟି ପ୍ଲେକ୍ସ ଓ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖାଯାଇଛି। ବଡ଼ ବଡ଼ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ସହ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ କରି ମେ ୨୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କୁହାଯାଇଛି ।