Advertisment

ପିଜୁଳି ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କେତେବେଳେ ମୌସୁମୀର ଲୁଚକାଳି ଖେଳ ତ, କେତେବେଳେ ପାଣି ଓ କେତେବେଳେ ବିହନ ସମସ୍ୟା। ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।

Guava Farming

Guava Farming

Advertisment

ଗୁଣୁପୁର/ଭଦ୍ରକ: କେତେବେଳେ ମୌସୁମୀର ଲୁଚକାଳି ଖେଳ ତ, କେତେବେଳେ ପାଣି ଓ କେତେବେଳେ ବିହନ ସମସ୍ୟା। ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏନେଇ ଚାଷୀ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରଛି। ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ନିଜସ୍ୱ ଚେଷ୍ଟା ଓ ପରିଶ୍ରମରେ ପିଜୁଳି ଚାଷ କରି ବେଶ୍ ଲାଭବାନ ହେଉଛନ୍ତି ଗୁଣପୁରର ଲକ୍ଷ୍ମୀନାରାୟଣ ଏବଂ ଭଦ୍ରକର ଅନ୍ତର୍ଯାମୀ।

Advertisment

ରାୟଗଡା ଜିଲ୍ଲାରେ ଏବେ ଚାଷୀ ଆଉ ପାରମ୍ପରିକ ଧାନ ଚାଷ ପଛରେ ନ ଗୋଡ଼ାଇ ଏବେ ପିଜୁଳି ଭଳି ଅର୍ଥକାରୀ ଫସଲ ଚାଷ କରୁଛନ୍ତି। ଏହା ସେମାନଙ୍କୁ ଦେଇଛି ରୋଜଗାରର ଭଲ ମାଧ୍ୟମ। ଧାଡ଼ି ଧାଡ଼ି ହୋଇ ଜମିରେ ପିଜୁଳି ଗଛ ଲଗାଇଛନ୍ତି ଚାଷୀ। ଯାହାକି ବେଶ୍‌ ମନଲୋଭା ଦିଶୁଛି। ଅମଳ ବି ଭଲ ହେଉଛି। 

କମ୍ ଖର୍ଚ୍ଚ, ଅଳ୍ପ ପରିଶ୍ରମରେ ହୋଇପାରୁଥିବା ଚାଷ ହେଉଛି ପିଜୁଳି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ ଲକ୍ଷ୍ମୀନାରାୟଣ ଓ ତାଙ୍କ ୨ ଚାଷୀ ବନ୍ଧୁ ମିଶି ୧୫ ଏକର ଜମିରେ ପିଜୁଳି ଚାଷ କରିଛନ୍ତି। ବର୍ଷକର ୯ ମାସ ପିଜୁଳି ଅମଳ ହେଉ ଥିବାବେଳେ ସେଥିରୁ ବେଶ୍‌ ଭଲ ପଇସା ଉପାର୍ଜନ କରୁଥିବା ଲକ୍ଷ୍ମୀନାରାୟଣ କହିଛନ୍ତି। ବର୍ଷକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି  ଲକ୍ଷ୍ମୀନାରାୟଣ ଓ ତାଙ୍କ ୨ ଚାଷୀ ବନ୍ଧୁ। ଚାଷୀମାନେ ପିଜୁଳି ଭଳି ଅର୍ଥକରୀ ଫସଲ ଚାଷ କରିବା ଦିଗରେ ଆଗେଇ ଆସିବା ଆବଶ୍ୟକ ବୋଲି ସହକାରୀ ଉଦ୍ୟାନ ଅଧିକାରୀ ଏମ୍.ସୁଜାତା କହିଛନ୍ତି।  

Advertisment

ସେହିପରି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ବୀରୁଆଁ ଗାଁରେ ଅନ୍ତର୍ଯାମୀ ମିଶ୍ର ମଧ୍ୟ ପିଜୁଳି ସହ ବିଭିନ୍ନ ରକମର ଫଳ ଚାଷ କରୁଛନ୍ତି। ଅନ୍ତର୍ଯାମୀ ନିଜର ୩ ଏକର ଜମିରେ ସେ ପିଜୁଳି, ଆମ୍ବ ,ପଣସ, ଲିଚୁ, ସପେଟା, ଲେମ୍ବୁ ଗଛ ଲଗାଇଛନ୍ତି। ଏହାସହ ଗଛ ଛାଇରେ ପନିପରିବା ଚାଷ ବି କରୁଛନ୍ତି। କଲମି କରି ସେ ଉନ୍ନତମାନର ଗଛ ଚାରା ପ୍ରସ୍ତୁତ କରୁଛନ୍ତି।

ଅନ୍ତର୍ଯାମୀଙ୍କ ବାଡ଼ିରେ ବର୍ଷକ ୧୨ ମାସ ପିଜୁଳି ଫଳୁ ଥିବାବେଳେ ପନିପରିବା ମଧ୍ୟ ଭଲ ଉତ୍ପାଦନ ହେଉଛି। ପିଜୁଳିର ଚାହିଦା ବେଶ୍‌ ଅଧିକ ଥିବାରୁ ବାହାରୁ ବେପାରୀ ଆସି ନେଉଥିବାବେଳେ ଭଲ ରୋଜଗାର ହେଉଥିବା ସେ କହିଛନ୍ତି। ଏହାସହ ନିଜ ଜମିରେ କିଛି ଅଭାବୀ ପରିବାରଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରିଛନ୍ତି ଅନ୍ତର୍ଯାମୀ। 

Advertisment

(ଗୁଣପୁରରୁ ଇନ୍ଦ୍ରଜିତ ପଣ୍ଡା ଏବଂ ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ)

Farming In Odisha Farming Guava Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ