ପଶ୍ଚିମ ଓଡିଶାରେ ଅଧିକାଂଶ ଲୋକଙ୍କ ଜୀବନ ଜିବିକା ହେଉଛି କେନ୍ଦୁପତ୍ର । ଖରାଦିନେ ଯାହା କିଛି ରୋଜଗାର ହୁଏ, ତାହା ପରିବାର ପାଇଁ ବର୍ଷକର ସମ୍ୱଳ । ଅନେକ ଦୁଃଖକଷ୍ଟ କରି ତୋଳାଳି କେନ୍ଦୁପତ୍ର ସଂଗ୍ରହ କରି ସରକାରଙ୍କ ଅର୍ଥନୀତିକୁ ବଢାଉଥିବା ବେଳେ ସରକାରୀ ଯୋଜନାର ଲାଭ ପାଉନାହାଁନ୍ତି ତୋଳାଳି । ଦୀର୍ଘ ଦୁଇବର୍ଷ ହେଲାଣି ଅନେକ ଯୋଜନାରୁ ବଂଚିତ ତୋଳାଳି।
ଟାଣ ଖରାରେ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି ତୋଳାଳି। ଦିନ ଦ୍ୱିପହରରେ କେନ୍ଦୁପତ୍ର ଧରି ଘରକୁ ଫେରୁଛନ୍ତି। ପରେ ସେହି ପତ୍ରକୁ ବାନ୍ଧି ଫଢିକୁ ନେଇ ଯାଆନ୍ତି ସୁଖାଇବା ପାଇଁ । ସେଠାରେ ପତ୍ରର ହିସାବ କରି ଫେରନ୍ତି । ନିତିଦିନ କେନ୍ଦୁପତ୍ର ତୋଳାଳି ଏମିତି କାମ କରିଥାନ୍ତି । ବିଶେଷ କରି ପୁରୁଷମାନଙ୍କ ଅପେକ୍ଷା ମହିଳା ତୋଳାଳିଙ୍କ ସଂଖ୍ୟା ଅଧିକ । ରେଢାଖୋଲ ଡିଭିଜନରେ ତୋଳାଳିମାନେ ହାଡଭଙ୍ଗା ପରିଶ୍ରମ କରୁଥିଲେ ବି ସେମାନଙ୍କୁ ମିଳୁନାହିଁ ଉଚିତ୍ ପାରିଶ୍ରମିକ ।
କେନ୍ଦୁପତ୍ରରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି। ସେଥି ପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋତ୍ସାହନ, ବୋନସ୍ ଆଦି ମିଳୁନାହିଁ । ଏମିତିକି ଛତା, ଛପଲ, ଜୋତା, କ୍ୟାରିବ୍ୟାଗ ପାଇଁ ମିଳୁଥିବା ଅର୍ଥ ଠିକ୍ ଭାବେ ମିଳୁନାହିଁ।
କେନ୍ଦୁପତ୍ର ତୋଳିବା ବେଳେ ଦୁର୍ଘଟଣା ହେଲେ ଦୁଇଲକ୍ଷ ଟଙ୍କା ବୀମାରାଶି ମିଳିବା କଥା । ହେଲେ ତାହା ମିଳିବା କଷ୍ଟକର ହୋଇପଡୁଛି। ଖାଲି ଏତିକି ନୁହେଁ ବିଭିନ୍ନ ସମୟରେ କେନ୍ଦୁପତ୍ର ତୋଳାଳି ଶୋଷଣର ଶିକାର ହେଉଛନ୍ତି । ଯେମିତିକି ଗୋଟିଏ ବିଡାରେ ୨୦ ପତ୍ର ରହିବାର ନିୟମ ଥିବା ବେଳେ ୨୨ଟି ପତ୍ର ରଖିବାକୁ ତାଗିତ କରାଯାଉଛି ।
ରେଢାଖୋଲ କେନ୍ଦୁପତ୍ର ଡିଭିଜନରେ ମୋଟ ୯ଟି ରେଂଜ ରହିଛି। ୨୭ ହଜାରରୁ ଅଧିକ ପତ୍ର ତୋଳାଳି ଓ ପାଖାପାଖି 15 ଶହ ପତ୍ର ବନ୍ଧାଳି ରହିଛନ୍ତି। ଚଳିତ ବର୍ଷ ପାଣିପାଗ ଭଲ ଥିବାରୁ ଏପ୍ରିଲ ୨୪ ତାରିଖରୁ ପତ୍ର କିଣା ଆରମ୍ଭ ହୋଇଯାଇଛି। କିନ୍ତୁ ତୋଳାଳିଙ୍କୁ ଭଲ ପାଉଣା ମିଳୁନାହିଁ। ଡିଏଫଓ କିନ୍ତୁ କହୁଛନ୍ତି ଦୁଇ ବର୍ଷ ପ୍ରଡକସନ କମିଥିବାରୁ କିଛି ଯୋଜନା ବନ୍ଦ କରାଯାଇଛି।
ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ